ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ଛେଚି ପକାଇଲେ

ବୌଦ୍ଧ,୨।୧୦: ଲୁଗାପଟା ଟାଣି ଓଟାରି ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଁ ଦାଣ୍ଡରେ ନିସ୍ତୁକ ମାଡ଼ ଅଭିଯୋଗ । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଆଦର୍ଶ ଥାନା ଅନ୍ତର୍ଗତ ବିଜାପଦର ଗାଁରେ । ଗାଁ ଦାଣ୍ଡରେ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ଶାଢୀ ଟାଣି ପିଟିଛନ୍ତି ଗୋଟିଏ ପରିବାରର ତିନି ଜଣ ସଦସ୍ୟ ।

ଅଭିଯୋଗ ଅନୁସାରେ, ଧୀରେନ ସେଠୀଙ୍କ ଝିଅ ଅଅଙ୍ଗନଓ୍ବାଡିକୁ ଯାଇଥିଲା। ପାଠପଢା ସରିବା ପରେ ସହାୟିକା ଝିଅକୁ ଛାଡିବାକୁ ଧୀରେନଙ୍କ ଘରକୁ ଯାଇଥିଲେ । କାହିଁକି ଛାଡ଼ିବାରେ ବିଳମ୍ବ ହେଲା କହି ସହାୟିକାଙ୍କ ସହ ଯୁକ୍ତି କରିଥିଲେ ଧୀରେନ । ଅଙ୍ଗନଓ୍ବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ ଧୀରେନ, ତାଙ୍କ ସ୍ତ୍ରୀ ସୁନୀତା ଏବଂ ମାଆ ଜାହ୍ନବୀ ଉଭୟ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ଏ ନେଇ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ବଘିଆପଡ଼ା ଫାଣ୍ଡିର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ଫେରାଇ ଦେଇଥିଲା । ଫଳରେ ଉଭୟ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Share