Advertisement

ଆଇଆଇଏମ୍‌ସିରେ ଓଏସ୍‌ଓୟୁ ଶିକ୍ଷାର୍ଥୀଙ୍କ ପ୍ରଶିକ୍ଷଣ ଆରମ୍ଭ

ଢେଙ୍କାନାଳ ଅଫିସ, ୩୦।୪ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ପରିସରରେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଓଏସ୍‌ଓୟୁ)ର ସାମ୍ବାଦିକତା ବିଭାଗ ଛାତ୍ରୀଛାତ୍ରଙ୍କୁ ନେଇ ସୋମବାରଠାରୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ ଶିବିର। ଶୁକ୍ରବାରଯାଏ ଚାଲିବାକୁ ଥିବା ଏହି ତାଲିମ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ଶିକ୍ଷାର୍ଥୀ ଅଂଶଗ୍ରହଣ କରିଛନ୍ତି।

ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟ୍ଟାର୍ଜୀ ଏହାକୁ ଉଦ୍‌ଘାଟନ କରି କହିଲେ, ସାମ୍ବାଦିକତା ପାଠ ହେଉଛି ବ୍ୟାବହାରିକ ଶିକ୍ଷା। ଖବରକାଗଜ, ଦୂରଦର୍ଶନ, ରେଡ଼ିଓ ସାମ୍ବାଦିକତା ପାଇଁ ବୈଷୟିକ ଜ୍ଞାନ ସହ ସ୍ବତନ୍ତ୍ର ଲିଖନ ଶୈଳୀର ଆବଶ୍ୟକତା ରହିଛି। ଏଥିଲାଗି ସ୍ବତନ୍ତ୍ର ପ୍ରଶିକ୍ଷଣ ଲୋଡ଼ା। ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ପଢୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଶ୍ରେଣୀଗୃହ ଏବଂ ବ୍ୟାବହାରିକ ଶିକ୍ଷାର ସୁଯୋଗ ନ ଥାଏ। ଏହି ଅଭାବକୁ ଦୂର କରିବାକୁ ଓଏସ୍‌ଓୟୁରେ ସାମ୍ବାଦିକତା ପଢୁଥିବା ଶିକ୍ଷାର୍ଥୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ସେ କହିଥିଲେ। ଡ. ଚାଟ୍ଟାର୍ଜୀ ଆହୁରି ମଧ୍ୟ କହିଲେ, ୮୦ ଏବଂ ୯୦ ଦଶକରେ ଦୂରଦର୍ଶନ ସାମ୍ବାଦିକତାରେ ବଡ଼ କ୍ୟାମେରା ବ୍ୟବହାର ହେଉଥିଲା। ଏଥିଲାଗି ଜଣେ କ୍ୟାମେରା ମ୍ୟାନ୍‌ ସହ ସାଉଣ୍ଡମ୍ୟାନ୍‌ ନିୟୋଜିତ ହେଉଥିଲେ। ପରେ କ୍ୟାମେରା ଆକାର ଛୋଟ ହେଲା। ସାଉଣ୍ଡମ୍ୟାନ ଆବଶ୍ୟକ ପଡ଼ିଲେନାହିଁ। ଏବେ ମୋବାଇଲ ମାଧ୍ୟମରେ ଭିଡ଼ିଓ ଏବଂ ଫଟୋ ଉତ୍ତୋଳନ କରି ତୁରନ୍ତ ଖବର ପ୍ରସାରଣ କରାଯାଇପାରୁଛି।  ଦିନକୁ ଦିନ ବୈଷୟିକ କୌଶଳରେ ଦ୍ରୁତ ପରିବର୍ତ୍ତନ ହେଉଛି। ଦର୍ଶକ ଏବଂ ପାଠକଙ୍କ ମାନସିକତା, ବୌଦ୍ଧିକତାକୁ ଦୃଷ୍ଟିରେ ରଖି ଖବର ପରିବେଷଣ ଶୈଳୀ ବଦଳୁଛି। ଏସବୁ ଦୃଷ୍ଟିରୁ ସାମ୍ବାଦିକତା ପାଠ୍ୟକ୍ରମରେ ଉପଯୁକ୍ତ ପ୍ରଶିକ୍ଷଣ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।

ଉଦ୍‌ଘାଟନୀ ଦିବସରେ ପ୍ରଶିକ୍ଷାର୍ଥୀମାନେ ମିଡିଆ ସଂଗ୍ରହାଳୟ ବୁଲି ଦେଖିଥିଲେ। ଖବର, ନିବନ୍ଧ, ଲଳିତ ନିବନ୍ଧ, ସମୀକ୍ଷା ଲେଖିବାର ଶୈଳୀ ସମ୍ପର୍କରେ ସହାୟକ ପ୍ରଫେସର ସମ୍ବିତ ପାଲ ପ୍ରଶିକ୍ଷଣ ଦେଇଥିଲେ। ପର୍ଯ୍ୟାୟକ୍ରମେ ଦୂରଦର୍ଶନ, ରେଡ଼ିଓ ଏବଂ ମୋବାଇଲ ସାମ୍ବାଦିକତାର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦିଆଯିବ ବୋଲି ସୂଚନା ଦିଆଯାଇଛି।