ଆଇଆଇଏମ୍‌ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’

ଢେଙ୍କାନାଳ ଅଫିସ, ୨୦ା୧୦

ଢେଙ୍କାନାଳସ୍ଥିତ ଆଇଆଇଏମ୍‌ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍‌ଷ୍ଟିଚ୍ୟୁଟ୍‌ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲାପାଳ ଭବେଶ କୁମାର ନାୟକ ବକ୍ତାଭାବେ ଯୋଗଦେଇ କହିଲେ, ସହଯୋଗ ମିଳିଲେ ବାୟୁ ପ୍ରଦୂଷଣ କମିବ। ଇ-ଯାନ ଏହାର ବିକଳ୍ପ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ଅନ୍ୟତମ ବକ୍ତାଭାବେ ସାମାଜିକ କର୍ମୀ ନିରଦାନନ୍ଦ କହିଲେ, ଅତ୍ୟଧିକ ଯାନବାହନ ଚଳାଚଳ କାରଣରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳର ପରିମାଣ ବଢ଼ିବାରେ ଲାଗିଛି। ସଂରକ୍ଷିତ ଜଙ୍ଗଲରେ ବ୍ୟାପକ ଚାରା ରୋପଣ ସହ ପ୍ରଦୂଷଣ ନିରୋଧ ଆଇନକୁ କଡ଼ାକଡ଼ି କରାଗଲେ ସୁଫଳ ମିଳିବ। ଏ କ୍ଷେତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସଚେତନଧର୍ମୀ ଖବର ପରିବେଷଣ କରାଗଲେ ଏହା ତୃଣମୂଳସ୍ତରରେ ପହଞ୍ଚତ୍ବ ବୋଲି ସେ କହିଥିଲେ। ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ଶାଖା ମୁଖ୍ୟ ଡା. ଜଗଦାନନ୍ଦ ତ୍ରିପାଠୀ କହିଲେ, ପ୍ରଦୂଷଣ ରୋଗର କାରଣ। ନିୟମିତ ଚେକ୍‌ଅପ୍‌ କରି ନେଲେ ପ୍ରଦୂଷଣରୁ ସୃଷ୍ଟି ହେଉଥିବା ବହୁ ଜଟିଳ ରୋଗର ଉପଶମ ହୋଇପାରିବ। ପ୍ରାରମ୍ଭରେ ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡା. ମୃଣାଳ ଚାଟ୍ଟାର୍ଜୀ କହିଲେ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୪ଟି ରହିଛି। ରାଜଧାନୀ ଦିଲ୍ଲୀ ସମେତ ରାଜ୍ୟର କଟକ, ତାଳଚେର, ଝାରସୁଗୁଡ଼ା, ବେଲପାହାଡ଼ ଭଳି ସହରରେ ପ୍ରଦୂଷଣ ଚିନ୍ତାର କାରଣ ପାଲଟିଛି। ଏ ବିଷୟରେ ସମସ୍ତେ ଚିନ୍ତା କରିବାର ବେଳ ଆସିଛି। ଏହାର ପ୍ରତିକାର ଲାଗି ବ୍ୟକ୍ତିଗତ ସ୍ତରରେ ଉଦ୍ୟମ କରିବାକୁ ପଡ଼ିବ ବୋଲି ସେ ଆହ୍ବାନ ଦେଇଥିଲେ। ଜ୍ୟୋତି ରଞ୍ଜନ ନାୟକ, ପରଂବ୍ରହ୍ମ ତ୍ରିପାଠୀ ଏୟାର କ୍ୱାଲିଟି ଲାଇଫ୍‌ ଇଣ୍ଡେକ୍ସ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଶେଷରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Share