ଢେଙ୍କାନାଳ ଅଫିସ, ୧୮।୮: ପରାଧୀନ ଭାରତର ଜନତାଙ୍କ ମଧ୍ୟରେ ଜାତୀୟତାବାଦ ସୃଷ୍ଟି କରିବାରେ ଆଞ୍ଚଳିକ ଭାଷାଭାଷୀ ଖବରକାଗଜ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ସେତେବେଳେ ଖବରକାଗଜଗୁଡ଼ିକ ବ୍ରିଟିଶ ଶାସନ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ। ଇଂଲିଶ ସମେତ ଆଞ୍ଚଳିକ ଭାଷାରେ ଜାତୀୟତାବାଦ ଚିନ୍ତାଧାରାଭିତ୍ତିକ ଖବର ସବୁ ବର୍ଗ ମଧ୍ୟରେ ପ୍ରଭାବ ପକାଉଥିଲା ବୋଲି କହିଛନ୍ତି ପ୍ରଫେସର ପ୍ରୀତିଶ ଆଚାର୍ଯ୍ୟ। ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍ସି)ର ୨୭ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶନିବାର ଅନୁଷ୍ଠାନ ପରିସରରେ ଆୟୋଜିତ ବକ୍ତୃତା କାର୍ଯ୍ୟକ୍ରମରେ ଯୋଗଦେଇ ସେ ଏହା କହିଛନ୍ତି।
ଶିକ୍ଷାବିତ୍ ସୁବୀର ଘୋଷ କହିଲେ, ସ୍ବାଧୀନ ଭାରତରେ ଉନ୍ନୟନ ପ୍ରକ୍ରିୟା ଏବଂ ଜନତାଙ୍କ ମଧ୍ୟରେ ବିରାଟ ବ୍ୟବଧାନ ସୃଷ୍ଟି ହୋଇଥିଲା। ଶାସକ, ପ୍ରଶାସକ, ଜନତାଙ୍କ ମଧ୍ୟରେ ସେତୁ ବଢ଼ିବାରେ ଗଣମାଧ୍ୟମର ଯୋଗଦାନ ଅନସ୍ବୀକାର୍ଯ୍ୟ। ଏପରି ମହତ୍ ଉଦ୍ଦେଶ୍ୟକୁ ଚରିତାର୍ଥ କରିବାକୁ ୧୯୬୫ରେ ନୂଆଦିଲ୍ଲୀଠାରେ ଆଇଆଇଏମ୍ସି ପ୍ରତିଷ୍ଠା ହୋଇଥିଲା। ଏହାର ଉଦ୍ଦେଶ୍ୟ କେବଳ ସାମ୍ବାଦିକମାନଙ୍କୁ ତାଲିମ ଦେବା ମଧ୍ୟରେ ସୀମିତ ନ ଥିଲା। ଅଧିକନ୍ତୁ ଉନ୍ନୟନ ପ୍ରକ୍ରିୟା ସହ ଲୋକଙ୍କୁ ଯୋଡ଼ିବା ଦିଗରେ ଏହି ଅନୁଷ୍ଠାନ ଉଲ୍ଲେଖନୀୟ କାର୍ଯ୍ୟ କରିପାରିଥିଲା। ଏହାପରେ ୧୯୯୩ରେ ଏହାର ପ୍ରଥମ ଶାଖା ଢେଙ୍କାନାଳରେ ଖୋଲିଥିବା ସେ ସୂଚନା ଦେଇଥିଲେ। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟ୍ଟାର୍ଜୀ କହିଲେ, ଅନୁଷ୍ଠାନର ଛାତ୍ରୀଛାତ୍ରମାନେ ନିଜର ପ୍ରତିଭାର ପ୍ରତିଫଳନ କରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହି ଧାରା ଆଗକୁ ବଢ଼ାଇବାକୁ ସେ ଆହ୍ବାନ ଦେଇଥିଲେ।
ଏହି ଉପଲକ୍ଷେ ଅନୁଷ୍ଠିତ ଇଂଲିଶ ପ୍ରବନ୍ଧ ପ୍ରତିଯୋଗିତାରେ ଛାତ୍ରୀ ରୁପା କୁମାରୀ, କଲ୍ୟାଣ ଚକ୍ରବର୍ତ୍ତୀ, କୋମଲ ଯୋଷୀ ଏବଂ ଓଡ଼ିଆ ପ୍ରବନ୍ଧରେ ବିନୋଦ କୁମାର ବେହେରା, ଦେବଶ୍ରୀ ଦେବସ୍ମିତା, ପ୍ରଜ୍ଞା ନିବେଦିତା ନାୟକ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ସେହିପରି ଇଂଲିଶ ତର୍କରେ ଯତିନ ଗ୍ରୋଭର, ପ୍ରୀତମ କଶ୍ୟପ, କୋମଲ ଯୋଶୀ ଯଥାକ୍ରମେ ଶ୍ରେଷ୍ଠ ୩ ସ୍ଥାନ ହାସଲ କରିଛନ୍ତି। ଓଡ଼ିଆ ତର୍କରେ ରଜତ ପଣ୍ଡା ପ୍ରଥମ, ସୋନାଲି ଓଝା ଦ୍ୱିତୀୟ, ନୀଳାଦ୍ରି ନିବାସିନୀ ଦାସ ଓ ସୌମ୍ୟ ସ୍ବରୂପା ଦାସ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ସହାୟକ ପ୍ରଫେସର ଡ. ଜ୍ୟୋତିପ୍ରକାଶ ମହାପାତ୍ର ଧନ୍ୟବାଦ ଦେଇଥିଲେ।