Categories: ଗଞ୍ଜାମ

ଆଇଆରଇ କର୍ମଚାରୀଙ୍କ ମୃତ୍ୟୁ, ଘରୋଇ ହସ୍ପିଟାଲ ମାଲିକ, ଡାକ୍ତରଙ୍କୁ ଜେରା

ବ୍ରହ୍ମପୁର ଅଫିସ,୧୭ା୫- ଗେଟବଜାର ଛକସ୍ଥିତ ଏକ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ରାତିରେ ମାଟିଖାଲ ଆଇଆରଇ ପ୍ଲାଣ୍ଟରେ କାମ କରୁଥିବା ଆର. ଗୋପୀ ରେଡ୍ଡୀ (୩୫)ଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ଗୋପୀଙ୍କ ସ୍ତ୍ରୀ ଆର. ଭାରତୀ ରେଡ୍ଡୀଙ୍କ ଅଭିଯୋଗକ୍ରମେ ପୋଲିସ ନଂ.୧୦୭/୧୯ ଦଫା ୩୦୪/୩୪ ଆଇପିସିରେ ଏକ ମାମଲା ରୁଜୁ କରିଛି। ଗୁରୁବାର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରିକି ଗୋପୀଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ‘ଭିସାରା’ ସଂଗ୍ରହ କରି ଭୁବନେଶ୍ୱର ଏସଏଫଏଲ(ଷ୍ଟେଟ୍‌ ଫୋରେନ୍‌ସିକ୍‌ ଲାବୋରେଟୋରୀ)କୁ ପଠାଇଥିବା କହିଛି। ଅଭିଯୋଗକୁ ଆଧାର କରି ଘରୋଇ ହସ୍‌ପିଟାଲର ମାଲିକ ତଥା ମୃତ ଯୁବକଙ୍କ ପେଟରେ ଷ୍ଟୋନ ଥିବା ବେଳେ ଲାପାରୋସ୍କୋପି ଜରିଆରେ ଅସ୍ତ୍ରୋପଚାର କରିଥିବା ଡ଼ାକ୍ତରଙ୍କୁ ପୋଲିସ ଗୁରୁବାର ଜେରା କରିଛି ବୋଲି ଥାନାଧିକାରୀ ସନ୍ତୋଷିନୀ ଓରାମ ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ବେଳେ ଡ଼ାକ୍ତର ଏବଂ ନର୍ସମାନଙ୍କ ତ୍ରୁଟି ଯୋଗୁ ଏଭଳି ଘଟଣା ଘଟିଥିଲା କି ନାହିଁ ସେ ଦିଗ ଉପରେ ପୋଲିସ ଜେରା ବେଳେ ଡ଼ାକ୍ତରଙ୍କୁ ପଚାରିଥିବା ଜଣାପଡ଼ିଛି।
ଯେ, ପେଟରେ ଯନ୍ତ୍ରଣା ଯୋଗୁ ଗୋପୀଙ୍କୁ ଏପ୍ରିଲ ୩୦ ତାରିଖରେ ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ କହିବାନୁଯାୟୀ, ଗତ ୧୦ ତାରିଖରେ ତାଙ୍କ ପେଟରେ ଲାପାରୋସ୍କୋପି ଅସ୍ତ୍ରୋପଚାର କରାଯାଇଥିଲା। ତେବେ ବୁଧବାର ରାତିରେ ହଠାତ୍‌ ସେ ଗୁରୁତର ହୋଇପଡ଼ିଥିଲେ। ପରିବାରବର୍ଗଙ୍କ କହିବାନୁଯାୟୀ, ଡ଼ାକ୍ତର ଓ ନର୍ସଙ୍କୁ ଡ଼ାକିଲେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ସମ୍ପର୍କୀୟ ଓ ପରିବାର ବର୍ଗ ଥାନାରେ ଅଭିଯୋଗ କରିଥିଲେ। ଏଭଳି ଘଟଣା ଘଟିଥିଲେ ମଧ୍ୟ ଘରୋଇ ମେଡିକାଲ କର୍ତ୍ତୃପକ୍ଷଙ୍କ ମଧ୍ୟ ଦେଖା ମିଳି ନ ଥିବାରୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଖବର ପାଇ ଟାଉନ ଥାନା ପୋଲିସ ହସ୍ପିଟାଲରେ ପହଞ୍ଚତ୍ ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାଶୁଝା କରିଥିଲେ। ପରିବାର ଲୋକେ ଚିକିତ୍ସା ଅବହେଳାରୁ ମୃତ୍ୟୁ ଘଟିଥିବା ପୋଲିସକୁ ସୂଚନା ଦେଇଛନ୍ତି।