Categories: ମେଟ୍ରୋ

ଆଇଆର୍‌ସିଟିସିର ଓଡ଼ିଶାରୁ ପ୍ରଥମ ବିମାନ ଟୁର୍‌; ଅରୁଣାଚଳ ପ୍ରଦେଶ ବୁଲିବେ ଯାତ୍ରୀ

ଭୁବନେଶ୍ୱର, ୭ା୧୧ (ବ୍ୟୁରୋ) ଆଇଆର୍‌ସିଟିସି ଓଡ଼ିଶାରୁ ପ୍ରଥମ କରି ଅରୁଣାଚଳ ପ୍ରଦେଶକୁ ବିମାନ ଟୁର୍‌ ବ୍ୟବସ୍ଥା କରିଛି। ଉତ୍ତର-ପୂର୍ବର ‘ସପ୍ତ ଭଗିନୀ’ ରାଜ୍ୟ ଭିତରୁ ଅରୁଣାଚଳ ପ୍ରଦେଶ ନିଜ ସୌନ୍ଦର୍ଯ୍ୟରେ ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଅରୁଣାଚଳ ପ୍ରଦେଶର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲାଇବା ଲାଗି ୭ଦିନିଆ ଟୁର୍‌ ପ୍ୟାକେଜ୍‌ କରାଯାଇଛି। ଯାତ୍ରୀମାନେ ଭାଲୁକପୁଙ୍ଗ, ଡିରାଙ୍ଗ, ତାଓ୍ବଙ୍ଗ, ବୋମଡିଲା, ଗୁଆହାଟ୍ଟୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିପାରିବେ। ସେହିପରି ଅର୍କିଡ ପାରାଡାଇଜ, ଉଷ୍ମ ପ୍ରସ୍ରବଣ, ସେଲା ପାସ, ଗୋଲ୍ଡେନ ନାମଗ୍ୟେଲ ହାଟସେ ମଠ ଭ୍ରମଣ ସହ ବୋମଡିଲା ମଠରେ ରାତ୍ରିଯାପନ ଆଦି ସୁବିଧା ଉପଭୋଗ କରିପାରିବେ। ୩୦ହଜାର ଟଙ୍କାରୁ ୪୩ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ଅନୁସାରେ ଯାତ୍ରା ଭଡ଼ା ସ୍ଥିର କରାଯାଇଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଯାତ୍ରା ଆରମ୍ଭ ହେବ। ଯାତ୍ରୀମାନେ ଭୁବନେଶ୍ୱରରୁ ଇଣ୍ଡିଗୋ ବିମାନ ଯୋଗେ ଗୁଆହାଟ୍ଟୀ ଯିବେ। ସେଠାରୁ ଆଇଆର୍‌ସିଟି ଟୁର୍‌ ଯୋଜନା ଅନୁସାରେ ଯାତ୍ରୀଙ୍କୁ ବୁଲାଇବ। ଆସନ୍ତା ବର୍ଷ ମାର୍ଚ୍ଚ ୨୭ରୁ ଏହି ଯାତ୍ରା ଆରମ୍ଭ ହୋଇ ଏପ୍ରିଲ ୨ ତାରିଖରେ ସରିବ। ଯାତ୍ରୀମାନେ ଅଧିକ ସୂଚନା ସକାଶେ ଆଇଆର୍‌ସିଟିସି ଓ୍ବେବସାଇଟ (www.irctctourism.com)ରେ ଯୋଗାଯୋଗ କରିବାକୁ କୁହାଯାଇଛି।

Share