ଆଇଏଏସ୍‌ ଅଫିସରଙ୍କୁ ମେଡିକାଲ ଦାୟିତ୍ୱ

ଭୁବନେଶ୍ୱର,୩୧।୧୦(ବ୍ୟୁରୋ): ସାରା ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି, ରକ୍ଷଣାବେକ୍ଷଣ, ସାମଗ୍ରିକ ପ୍ରଦର୍ଶନ ଇତ୍ୟାଦି ସମ୍ପର୍କିତ କାର୍ଯ୍ୟର ସଂଯୋଜନା ପାଇଁ ବୁଧବାର ୧୦ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମ୍‌ଓ) ପକ୍ଷରୁ ଏନେଇ ଗଣମାଧ୍ୟମକୁ ଅବଗତ କରାଯାଇଛି। ତଦନୁଯାୟୀ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ(ଏନ୍‌ଟିପିସି) ଏବଂ ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ଦାୟିତ୍ୱରେ ରହିବେ। କୃଷି ଉତ୍ପାଦନ କମିଶନର(ଏପିସି) ପ୍ରଦୀପ୍ତ କୁମାର ମହାପାତ୍ର ବାଲେଶ୍ୱରସ୍ଥିତ ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ପାଇଁ ସଂଯୋଜକ ଭାବେ କାର୍ଯ୍ୟ କରିବେ। ଇସ୍ପାତ ଓ ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲର ଦାୟିତ୍ୱ ପ୍ରଦାନ କରାଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ସଚିବ ଡକ୍ଟର ମୋନା ଶର୍ମାଙ୍କୁ ଯାଜପୁର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଅନୁ ଗର୍ଗଙ୍କୁ ଅନୁଗୋଳ ମେଡିକାଲ କଲେଜ ଓ ହସ୍ପିଟାଲ(ଏମ୍‌ସିଏଲ୍‌) ଦାୟିତ୍ୱ ପ୍ରଦାନ କରାଯାଇଛି। ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବଲାଙ୍ଗୀରସ୍ଥିତ ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି। ସେହିଭଳି ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ ମୀନାଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ, ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ମୟୂରଭଞ୍ଜର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ବିଭାଗ କମିଶନର ତଥା ସଚିବ ହେମନ୍ତ ଶର୍ମାଙ୍କୁ କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ପୂର୍ତ୍ତ ବିଭାଗ ସଚିବ ତଥା କମିଶନର କ୍ରିଷ୍ଣନ କୁମାରଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରଦର୍ଶନ ବୃଦ୍ଧି ନିମନ୍ତେ ସଂଯୋଜକ ଭାବେ ଦାୟିତ୍ୱ ଦିଆଯାଇଛି।

Share