ଆଇଏଏସ୍‌ ଅଫିସର ବିଜୟଙ୍କ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର, ୧-୧(ବ୍ୟୁରୋ):ବିଲ୍‌ ପାସ୍‌ କରିବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ମଙ୍ଗଳବାର ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। ଉଭୟ ପକ୍ଷରୁ ଯୁକ୍ତି ଶୁଣିବା ପରେ ବିଚାରପତି ବିଜୟଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି। ଆସନ୍ତା ୨ରୁ ୬ ତାରିଖ ପର୍ଯ୍ୟନ୍ତ ବିଜୟଙ୍କୁ ରିମାଣ୍ଡରେ ନେବାକୁ ଭିଜିଲାନ୍ସ ପକ୍ଷରୁ ଆବେଦନ କରାଯାଇଥିଲା। କୋର୍ଟ ମଙ୍ଗଳବାରଠାରୁ ୬ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ପ୍ରଦାନ କରିଛନ୍ତି। ତେଣୁ ଆସନ୍ତା ୫ ତାରିଖରେ ତାଙ୍କୁ ପୁନର୍ବାର କୋର୍ଟରେ ହାଜର କରାଯିବ। ତେବେ ବିଜୟଙ୍କୁ ରିମାଣ୍ଡରେ ନେଇଥିବା ଭିଜିଲାନ୍ସ ତାଙ୍କଠାରୁ ପରେ ଲାଞ୍ଚ କାରବାର ଓ ଅନ୍ୟ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଅଧିକ ଖୋଳତାଡ଼ କରିବ। ଏଥିସହ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିବାକୁ ଆଶା ରଖିଛି ଭିଜିଲାନ୍ସ।
ଅନ୍ୟପକ୍ଷରେ ଭିଜିଲାନ୍ସ କୋର୍ଟରେ ହାଜର ହେବାକୁ ଯାଉଥିବାବେଳେ ବିଜୟ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ କୌଣସି ଲାଞ୍ଚ ଗ୍ରହଣ କରିନାହିଁ। ମୋ କାର୍ଯ୍ୟାଳୟର କେତେଜଣ କର୍ମଚାରୀ ଆକ୍ରୋଶ ରଖି ଯୋଜନାବଦ୍ଧ ଭାବେ ମୋତେ ଫସାଇ ଦେଇଛନ୍ତି। ଏହା ପଛରେ କେତେଜଣ ବରିଷ୍ଠ ଅଧିକାରୀଙ୍କ ହାତ ରହିଥିବା ସେ କହିଛନ୍ତି। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିଲେ। ସୋମବାର ଏକ ବିଲ୍‌ ପାସ୍‌ କରିବା ନିମନ୍ତେ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଧରିବା ସହ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରିଥିଲା। ଏଥିସହ ଭିଜିଲାନ୍ସର ୧୦ ଜଣିଆ ଟିମ୍‌ ବିଜୟଙ୍କ ଅଫିସ ସମେତ ବାସଗୃହ ଓ ଅନ୍ୟକେତେକ ସ୍ଥାନରେ ଚଢାଉ କରିଥିଲା। ତେବେ ଧରାପଡିବା ପରେ ରାଜ୍ୟ ସରକାର ତାଙ୍କୁ ତୁରନ୍ତ ନିଲମ୍ବନ କରିଥିଲେ।

Share