ଆଇଏଏସ୍‌-ଆଇପିଏସ୍‌ ଅଫିସର ପିନ୍ଧିବେ ଡାକ୍ତରୀ ୟୁନିଫର୍ମ: କାର୍ମିକ ମନ୍ତ୍ରଣାଳୟର ନୂଆ ଯୋଜନା

ନୂଆଦିଲ୍ଲୀ, ୧୧।୬: ଭାରତରେ କରୋନା ମହାମାରୀ ଯୋଗୁ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଏବେ ପ୍ରତିଦିନ ଦେଶରେ ହାରାହାରି ୧୦୦୦ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ତେଣୁ ହସ୍ପିଟାଲରେ କରୋନା ସଂକ୍ରମିତଙ୍କ ଚିକିତ୍ସାର ସୁପରିଚାଳନା ଅପରିହାର୍ଯ୍ୟ ହୋଇପଡ଼ିଛି। ଏପରିସ୍ଥଳେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏମ୍‌ବିବିଏସ୍‌ ଡିଗ୍ରୀ ପରେ ଆଇଏଏସ୍‌ ଏବଂ ଆଇପିଏସ୍‌ ଅଫିସର ଭାବେ କାର୍ଯ୍ୟ କରୁଥିବା ଅଧିକାରୀଙ୍କର ଏକ ଡାଟାବେସ୍‌ ପ୍ରସ୍ତୁତ କରାଯାଉଛି। ସେମାନଙ୍କୁ କୋଭିଡ୍‌-୧୯ ହସ୍ପିଟାଲର ପ୍ରବନ୍ଧନ ଏବଂ ସମନ୍ବୟ କାର୍ଯ୍ୟରେ ନିଯୁକ୍ତ କରାଯିବାର ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ସେମାନଙ୍କୁ ଚିକିତ୍ସା ସେବା କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିବାକୁ ପଡ଼ିବାରେ ବୋଲି କୁହାଯାଉଛି। ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ବାସ୍ଥ୍ୟ ସେବା କ୍ଷେତ୍ର ଉପରେ ଚାପ ବଢ଼ିବାରେ ଲାଗିଛି। ଦେଶରେ ଥିବା କୋଭିଡ୍‌-୧୯ ହସ୍ପିଟାଲରେ ପ୍ରଶାସନିକ ବ୍ୟବସ୍ଥା ଭଲ ରହିଲେ ଆକ୍ରାନ୍ତଙ୍କ ସଂଖ୍ୟା କମିବାର ସମ୍ଭାବନା ରହିବ ବୋଲି କାର୍ମିକ ମନ୍ତ୍ରଣାଳୟ କହିଛି।

Share