ଆଇଏଏସ୍‌ ବିଜୟ କେତନ ଗିରଫ ମାମଲା: ଜାମିନ ଖାରଜ କଲେ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ

ଭୁବନେଶ୍ୱର, ୧୩ା୧(ବ୍ୟୁରୋ): ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସ ବିଜୟ କେତନ ଉପାଧ୍ୟାୟଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ସୋମବାର ଭୁବନେଶ୍ୱର ସ୍ବତନ୍ତ୍ର ଭିଜିଲାନ୍ସ ତାଙ୍କ ଜାମିନକୁ ଖାରଜ କରି ଦେଇଛନ୍ତି। ଏହାକୁ ମିଶାଇ ଭିଜିଲାନ୍ସ କୋର୍ଟ ଦୁଇଥର ତାଙ୍କର ଜାମିନକୁ ଖାରଜ କଲେଣି। ସୋମବାର ବିଜୟଙ୍କ ଜାମିନର ଶୁଣାଣିଥିବା ବେଳେ ସେ ଝାରପଡା ଜେଲରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ। ଏହାପରେ ଜଜ୍‌ ତାଙ୍କ ଜାମିନ ନେଇ ଶୁଣାଣି ଆରମ୍ଭ କରିଥିଲେ। ସରକାରୀ ଓକିଲ ହେମନ୍ତ କୁମାର ସ୍ବାଇଁ ଜଜ୍‌ଙ୍କ ନିକଟରେ ଯୁକ୍ତି କରିଥିଲେ ଯେ, ଏଭଳି ହାଇପ୍ରୋଫାଇଲ୍‌ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦିଆ ନ ଯାଉ। ସରକାର ଦୁର୍ନୀତିକୁ ଜିରୋ ଟ୍ରଲରାନ୍ସ ଭାବେ ନେଉଥିବା ବେଳେ ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଆଇଏଏସ୍‌ ଅଫିସରଙ୍କୁ ଜାମିନ ଦେଲେ ଅନ୍ୟମାନେ ଏଭଳି କାର୍ଯ୍ୟ କରିବାକୁ ସାହସ ଜୁଟାଇବେ। ଏହାସହ ଏଭଳି ଅଧିକାରୀଙ୍କ ପାଇଁ ସରକାରଙ୍କ ଜନହିତକର କାର୍ଯ୍ୟ ବାଟମାରଣା ହେଉଛି। ଯେହେତୁ ତଦନ୍ତ ଚାଲିଛି, ଅଭିଯୁକ୍ତଙ୍କୁ ଜାମିନ ଦେଲେ ସେ ବାହାରକୁ ବାହାରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ସହ ପ୍ରମାଣ ନଷ୍ଟ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ତେଣୁ ଏଭଳି ସମ୍ବେଦନଶୀଳ ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ଦିଆନଯାଉ ବୋଲି ସ୍ବାଇଁ ଜଜ୍‌ଙ୍କ ନିକଟରେ ଯୁକ୍ତି ରଖିଥିଲେ। ଜଜ୍‌ ସବୁଦିଗକୁ ଅନୁଧ୍ୟାନ କରି ଅପରାହ୍ନ ୨ଟା ସମୟରେ ମାମଲାର ଶୁଣାଣି କରି ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏଥିଯୋଗୁ ନିରାଶ ହୋଇଛନ୍ତି ବିଜୟ। ସେ ବର୍ତ୍ତମାନ ଝାରପଡା ଜେଲରେ ରହିବେ। ଏପରିକି ପୁଣି ଜାମିନ ପାଇଁ ହାଇକୋର୍ଟ ଯିବେ ବୋଲି ଜଣାପଡିଛି।

Share