Categories: ଜାତୀୟ

ଆଇଏନ୍‌ଏକ୍ସ ମିଡିଆ ମାମଲା: ସିବିଆଇକୁ କେନ୍ଦ୍ରର ଅନୁମତି; ୪ ଅଧିକାରୀଙ୍କ ବିରୋଧରେ ତଦନ୍ତ ଚାଲିବ

ନୂଆଦିଲ୍ଲୀ,୨୯ା୯: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ନୀତି ଆୟୋଗର ପୂର୍ବତନ ସିଇଓଙ୍କ ସମେତ ୪ ବରିଷ୍ଠ ପୂର୍ବତନ ଅଧିକାରୀଙ୍କ ବିରୋଧରେ ତଦନ୍ତ କରିବା ଲାଗି ସିବିଆଇକୁ ସରକାର ଅନୁମତି ଦେଇଛନ୍ତି। ୨୦୦୭ରେ ଆଇଏନ୍‌ଏକ୍ସ ମିଡିଆରେ ବିଦେଶୀ ପୁଞ୍ଜିନିବେଶ ଲାଗି ଅନୁମତି ପ୍ରଦାନରେ ଅନିୟମିତା ହୋଇଥିବା ଅଭିଯୋଗରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମଙ୍କ ସମେତ ଏହି ଅଧିକାରୀମାନେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଚିଦାମ୍ବରମ ଏବେ ତିହାର ଜେଲ୍‌ରେ ଅଛନ୍ତି। ସେତେବେଳେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଏବଂ ପରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ହୋଇଥିବା ସିନ୍ଧୁଶ୍ରୀ ଖୁଲ୍ଲର, ଅର୍ଥ ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ ତଥା ଓଡ଼ିଆ ଅଫିସର ଅନୁପ କୁମାର ପୂଜାରୀ, ପୂର୍ବତନ ନିର୍ଦ୍ଦେଶକ ପ୍ରବୋଧ ସାକ୍ସେନା ଏବଂ ପୂର୍ବତନ ଅନୁସଚିବ ରବୀନ୍ଦ୍ର ପ୍ରସାଦଙ୍କ ବିରୋଧରେ ମାମଲା ଚଳାଇବା ଲାଗି ସିବିଆଇ ସରକାରଙ୍କଠାରୁ ଅନୁମତି ଲୋଡିଥିଲା। ଫେବୃୟାରୀରେ ସରକାର କେବଳ ଚିଦାମ୍ବରମଙ୍କ ବିରୋଧରେ ତଦନ୍ତ ଲାଗି ଅନୁମତି ଦେଇଥିଲେ। ଜୁନ୍‌ ମାସରେ କେନ୍ଦ୍ରୀୟ ଭିଜିଲାନ୍ସ ଆୟୋଗ (ସିଭିସି) ପୁଣି ଥରେ କେନ୍ଦ୍ରର ଅନୁମତି ଚାହିଁଥିଲେ। ୨୦୦୭ରେ ଉପରୋକ୍ତ ୪ ଅଧିକାରୀ ଚିଦାମ୍ବରମଙ୍କ ଅଧୀନରେ କାମ କରୁଥିଲେ। ଗତ ମାସରେ ଚିଦାମ୍ବରମ ସିବିଆଇ ହାଜତରେ ଥିବାବେଳେ ଉକ୍ତ ଅଧିକାରୀମାନଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯାଇଥିଲା।

Share