ଆଇଏମ୍‌ଏମ୍‌ଟି ପରିସରରୁ ଜମି ଅଧିଗ୍ରହଣକୁ ବିରୋଧ:ବିଡିଏ ସ୍କ୍ବାଡ୍‌-ବୈଜ୍ଞାନିକ ମୁହାଁମୁହିଁ

ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଆଚାର୍ଯ୍ୟବିହାରସ୍ଥ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ପରିସରରୁ ଜମି ଅଧିଗ୍ରହଣ କରିବାକୁ ଆସି ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ ବିରୋଧର ସମ୍ମୁଖୀନ ହୋଇଛି। ଶୁକ୍ରବାର ପୂର୍ବାହ୍ନରେ ବିଡିଏ ଏନଫୋର୍ସମେଣ୍ଟ ସ୍କ୍ବାଡ୍‌ର ଅଧିକାରୀମାନେ ଏହି ଜମି ଅଧିଗ୍ରହଣ କରିବାକୁ ଯାଇଥିବାବେଳେ ଆଇଏମ୍‌ଏମ୍‌ଟିର କେତେଜଣ ବୈଜ୍ଞାନିକ ସେମାନଙ୍କୁ ବିରୋଧ କରିବା ସହ ଧାରଣା ଦେଇଥିଲେ। ଫଳରେ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା।
ସୂଚନା ମୁତାବକ, ୧୯୬୪ ମସିହାରେ ଆଇଏମ୍‌ଏମ୍‌ଟିକୁ ୨୦୦ ଏକର ଜମି ଯୋଗାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଓକାକ୍‌, ପ୍ଲାନେଟୋରିୟମ ନିର୍ମାଣ ପାଇଁ ଏଥିରୁ ୨୩ ଏକର ଜମି ବାଦ୍‌ ପଡ଼ିଥିଲା। ତେବେ ଅବଶିଷ୍ଟ ୧୭୭ ଏକର ଜମି ରେଜିଷ୍ଟ୍ରେଶନ ପାଇଁ ନିର୍ଦ୍ଧାରଣ କରାଯାଇଥିଲା। ହେଲେ ଭୁଲ୍‌ବଶତଃ ରେଜିଷ୍ଟ୍ରେଶନ ସମୟରେ ୧୪୪ ଏକର ଜମି ଆଇଏମ୍‌ଏମ୍‌ଟିକୁ ମିଳିଥିଲା। ରାଜ୍ୟ ସରକାର ବଳକା ୩୩ ଏକର ଜମିରୁ ୧୯ ଏକର ଜମି ଫେରାଇ ନେବା ଲାଗି ଅନୁଷ୍ଠାନ ସହ ଆଲୋଚନା କରିଥିଲେ। ୧୯ ଏକର ଜମି ନେବା ପରେ ବଳକା ୧୪ ଏକର ଜମି ଅନୁଷ୍ଠାନ ନାମରେ ସରକାର ରେଜିଷ୍ଟ୍ରେଶନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସାଧାରଣ ପ୍ରଶାସନ ବିଭାଗ ବିଡିଏକୁ ସମ୍ପୃକ୍ତ ୩୩ ଏକର ଜମି ଚିହ୍ନଟ କରିବାକୁ କହିଥିଲା। ଶୁକ୍ରବାର ବିଡିଏ ସ୍କ୍ବାଡ୍‌ ଏହି ଜମି ଦେଖିବାକୁ ଯାଇଥିବାବେଳେ ବୈଜ୍ଞାନିକମାନେ ବିରୋଧ କରିଥିଲେ।

Share