Categories: ବାଣିଜ୍ୟ

ଆଇଏମ୍‌ପିଏସ୍‌କୁ ଶୁଳ୍କମୁକ୍ତ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୩।୭: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସ୍‌ବିଆଇ ଇମିଡିଏଟ୍‌ ପେମେଣ୍ଟ ସର୍ଭିସ୍‌(ଆଇଏମ୍‌ପିଏସ୍‌) ଉପରେ ଲାଗୁ ଥିବା ଚାର୍ଜ ଅଥବା ଶୁଳ୍କକୁ ସମ୍ପୂର୍ଣ୍ଣ ଛାଡ କରିଦେଇଛି। ଏବେ ଗ୍ରାହକ ଅନ୍‌ଲାଇନରେ ଆଇଏମ୍‌ପିଏସ୍‌ ମାଧ୍ୟମରେ ଟଙ୍କା ପଠାଇବା ଉପରେ କୌଣସି ଶୁଳ୍କ ଦେବେ ନାହିଁ। ଏହି ନୂଆ ନିୟମ ଅଗଷ୍ଟ ପହିଲାରୁ ଲାଗୁ ହେବ। ଏଥିପୂର୍ବରୁ ଏସ୍‌ବିଆଇ ସମେତ ଦେଶର ସମସ୍ତ ବ୍ୟାଙ୍କ ଜୁଲାଇ ପହିଲାରୁ ଆର୍‌ଟିଜିଏସ୍‌ ଏବଂ ଏନ୍‌ଇଏଫ୍‌ଟି ମାଧ୍ୟମରେ ଅନ୍‌ଲାଇନରେ ଟଙ୍କା ପଠାଇବା ଉପରେ ଶୁଳ୍କ ଆଦାୟକୁ ପ୍ରତ୍ୟାହାର କରିନେଇଥିଲେ। ଏସ୍‌ବିଆଇ ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ, ଏହା ସାରା ଦେଶରେ ଡିଜିଟାଲ ପ୍ଲାଟଫର୍ମ ୟୋନୋ, ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଏବଂ ମୋବାଇଲ ବ୍ୟାଙ୍କିଙ୍ଗ ଗ୍ରାହକଙ୍କ ଲାଗି ଜୁଲାଇ ପହିଲାରୁ ଉକ୍ତ ଦୁଇଟି ପେମେଣ୍ଟ ବ୍ୟବସ୍ଥାକୁ ଶୁଳ୍କମୁକ୍ତ କରିଛି। ଜୁଲାଇ ପୂର୍ବରୁ ଏସ୍‌ବିଆଇ ଏନ୍‌ଇଏଫ୍‌ଟି ପାଇଁ ୧ରୁ ୫ ଟଙ୍କା ଏବଂ ଆର୍‌ଟିଜିଏସ୍‌ ପାଇଁ ୫ରୁ ୫୦ ଟଙ୍କା ଶୁଳ୍କ ଆଦାୟ କରୁଥିଲା। ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ୬ କୋଟି ଏସ୍‌ବିଆଇ ଗ୍ରାହକ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଏବଂ ୧.୪୧ କୋଟି ମୋବାଇଲ ଫୋନ ବ୍ୟାଙ୍କିଙ୍ଗ ସେବା ବ୍ୟବହାର କରୁଛନ୍ତି। ମୋବାଇଲ ବ୍ୟାଙ୍କିଙ୍ଗ ନେଣଦେଣରେ ଏସ୍‌ବିଆଇର ବଜାର ଅଂଶ ୧୮ ପ୍ରତିଶତ ରହିଛି। ସେହିପରି ୟୋନୋ(ୟୁ ଓନ୍‌ଲି ନିଡ୍‌ ଓ୍ବାନ୍‌)ରେ ୧ କୋଟି ଗ୍ରାହକ ଟ୍ରାଞ୍ଜାକସନ କରୁଛନ୍ତି।

Share