Categories: ବାଣିଜ୍ୟ

ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଦୁର୍ନୀତି: ୫୭୦ କୋଟି ଜବତ;ପ୍ରଥମଥର ଚାର୍ଜଶିଟ୍‌ ଫାଇଲ କଲା ଇଡି

ନୂଆଦିଲ୍ଲୀ,୧୮-୮: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ପ୍ରଥମଥର ଚାର୍ଜଶିଟ୍‌ ଦାଖଲ କରିଛି। ଏହି ମାମଲାରେ ଇଡି ୫୭୦ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରିଥିବା ଶନିବାର ପ୍ରକାଶ କରିଛି। ଯାଞ୍ଚ ଏଜେନ୍ସି ପକ୍ଷରୁ ଦାଏର ଚାର୍ଜଶିଟ୍‌ରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ କମ୍ପାନୀଙ୍କ କେତେକ ପୂର୍ବତନ ନିର୍ଦ୍ଦେଶକ,ବ୍ୟବସାୟୀ ସି.ଶିବଶଙ୍କରନ ଓ ଅନ୍ୟ ମାନଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି। ମୁମ୍ବାଇସ୍ଥିତ ପିଏମ୍‌ଏଲ୍‌ଏ କୋର୍ଟରେ ଏହି ଅଭିଯୋଗ ଫର୍ଦ୍ଦ ଦାଏର ହୋଇଛି। ଇଡି ପକ୍ଷରୁ କୁହାଯାଇଛି ଯେ, ଦିଲ୍ଲୀ, ମୁମ୍ବାଇ,ଚେନ୍ନାଇ, ବ୍ରସେଲ୍ସ ଓ ବେଲ୍‌ଜିୟମରେ ଥିବା ସ୍ଥାବର ସମ୍ପତ୍ତିକୁ ଜବତ କରାଯାଇଛି। ଏହି ସମ୍ପତ୍ତି ସବୁ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ର ପୂର୍ବତନ ନିର୍ଦ୍ଦେଶକ ରମେଶ ବାଓ୍ବା, ହରି ଶଙ୍କରନ, ଅରୁଣ ସାହା ଓ ରାମଚନ୍ଦ୍ର କରୁଣାକରଣଙ୍କ କମିଟି ସମ୍ପର୍କିତ କମର୍ସିିଆଲ ଓ ରେସିଡେନ୍ସିଆଲ ସମ୍ପତ୍ତି ରହିଛି। ସାହା ଓ କରୁଣାକରଣଙ୍କୁ ଇଡି ପୂର୍ବରୁ ଗିରଫ କରିସାରିଛି। ଏୟାରସେଲ ପ୍ରତିଷ୍ଠାତା ସି.ଶିବଶଙ୍କରଣଙ୍କ ବହୁ ଅସ୍ଥାବର ସମ୍ପତ୍ତି ଓ ବ୍ୟାଙ୍କ ଆକାଉଣ୍ଟକୁ ଇଡି ଜବତ କରିଛି। ଏଗୁଡ଼ିକ ତାଙ୍କ ପରିବାର ଓ ସଦସ ଏବଂ ଗ୍ରୁପ୍‌ କମ୍ପାନୀଙ୍କ ନାମରେ ରହିଛି। ଇଡି ଚାର୍ଜଶିଟ୍‌ ଅନୁଯାୟୀ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରୁପ୍‌ ଅଧିକାରୀମାନେ କମିଶନ ନେଇ ଶିବଶଙ୍କରନଙ୍କ ଶିବା ଗ୍ରୁପ୍‌କୁ ଫାଇଦା ଦେଉଥିଲେ। ଶିବା ଗ୍ରୁପ୍‌ ଉପରେ ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ଗ୍ରପ୍‌ର ୪୯୪ କୋଟି ଟଙ୍କା ବକେୟା ଋଣ ରହିଛି।

Share