Categories: ଜାତୀୟ

ଆଇଏସ୍‌ଆଇଠାରୁ ଟଙ୍କା ନେଇଛି ଭାଜପା

ଭୋପାଳ,୨ା୯: ପାକିସ୍ତାନର ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇଠାରୁ ଭାଜପା ଓ ବଜରଙ୍ଗ ଦଳ ଟଙ୍କା ନେଇଥିବା ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭା ସଦସ୍ୟ ଦିଗ୍‌ବିଜୟ ସିଂ ଅଭିଯୋଗ କରିଛନ୍ତି। ତାଙ୍କର ଏହି ଚାଞ୍ଚଲ୍ୟକର ବୟାନ ଗୈରିକ ଦଳରେ ହଇଚଇ ସୃଷ୍ଟି କରିଛି। ମୁସଲମାନଙ୍କ ଅପେକ୍ଷା ଅଣମୁସଲମାନ ଆଇଏସ୍‌ଆଇ ପାଇଁ ଗୁପ୍ତଚର ବୃତ୍ତି କରୁଥିବା ଦିଗ୍‌ବିଜୟ କହିଛନ୍ତି। ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ସେୟାରେ ହୋଇଛି।
ଭିନ୍ଦ୍‌ଠାରେ ଶନିବାର ମହାରାଣା ପ୍ରତାପଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉପରୋକ୍ତ ମନ୍ତବ୍ୟ ଦେଇଥିବାବେଳେ ରବିବାର ଟୁଇଟରରେ ଏହାକୁ ସ୍ପଷ୍ଟ କରିଛନ୍ତି। ଟଙ୍କା ନେଇ ଆଇଏସ୍‌ଆଇ ପାଇଁ ଗୋଇନ୍ଦାଗିରି କରିବା ଅଭିଯୋଗରେ ବଜରଙ୍ଗ ଦଳ କର୍ମୀ ଏବଂ ଭାଜପା ଆଇଟି ସେଲ୍‌ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟପ୍ରଦେଶ ପୋଲିସ ଗିରଫ କରିଥିଲା। ସେହି କଥାକୁ ସେ ଗଣମାଧ୍ୟମ ସମ୍ମୁଖକୁ ଆଣିଥିବା କଥା କହିଛନ୍ତି। ଟିଭି ଚ୍ୟାନେଲଗୁଡ଼ିକ ଏ ସମ୍ପର୍କରେ କ’ଣ ପାଇଁ ଭାଜପାକୁ ପଚାରୁନାହାନ୍ତି ବୋଲି ସେ ଅନ୍ୟ ଏକ ଟୁଇଟ୍‌ରେ ପ୍ରଶ୍ନ କରିଛନ୍ତି।

Share