Categories: ଜାତୀୟ

ଆଇଏସ୍‌ଆଇ ଏଜେଣ୍ଟ୍‌ ହନିଟ୍ରାପ୍‌ ମାୟାରେ ଭାରତୀୟ ସେନା କର୍ମଚାରୀ

ନୂଆଦିଲ୍ଲୀ,୧୩।୭: ଫେସ୍‌ବୁକ୍‌ରେ ହାଏ ହାଲୋ ପରେ ଭାରତୀୟ ସେନା କର୍ମଚାରୀଙ୍କ ସହିତ ବନ୍ଧୁତା କରି ପରେ ସେମାନଙ୍କ ମୁଭମେଣ୍ଟ୍‌ ସମ୍ପର୍କରେ ତଥ୍ୟ ଚୋରାଇ ନେଉଛି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ସୁନ୍ଦରୀ ଏଜେଣ୍ଟ୍‌। ଇତିମଧ୍ୟରେ କିଛି ସେନା କର୍ମଚାରୀ ଏହି ଏଜେଣ୍ଟର ହନିଟ୍ରାପ୍‌ରେ ଫଶିଛନ୍ତି। ଏବେ ଭାରତୀୟ ସେନା ଯବାନ ରବୀନ୍ଦ୍ର ଯାଦବ ଏହାର ଜାଲରେ ଫଶିଥିବା ଜଣାପଡ଼ିଛି। ଏହି ଏଜେଣ୍ଟ୍‌ର ନାମ ହେଉଛି ଅନିକା ଚୋପ୍ରା। ଏହି ଫେକ୍‌ ନାମ ଜରିଆରେ ଆଇଏସ୍‌ଆଇ ଭାରତୀୟ ସେନା କର୍ମଚାରୀଙ୍କୁ ଟାର୍ଗେଟ୍‌ କରିଥିବା କୁହାଯାଉଛି। ପୂର୍ବରୁ ଚଳିତବର୍ଷ ଜାନୁୟାରୀରେ ରାଜସ୍ଥାନ ଜୈସଲମେର୍‌ରେ ମୁତୟନ ଥିବା ସୋମବୀରଙ୍କୁ ଗିରଫ କରାଯାଇଥିଲା। ସେ ପ୍ରତିଦିନ ଅନିକାଙ୍କ ସହିତ ଫେସବୁକ୍‌ରେ ଯୋଗାଯୋଗରେ ରହୁଥିଲେ। ତାଙ୍କଠାରୁ କେତେକ ଗୁପ୍ତତଥ୍ୟ ଅନିକା ହାସଲ କରିଥିବା ଜଣାପଡ଼ିଥିଲା। ସେହିପରି ୨୦୧୮ ଫେବୃୟାରୀରେ ୫୧ ବର୍ଷ ବୟସ୍କ ଭାରତୀୟ ବାୟୁସେନା କ୍ୟାପଟେନ୍‌ ଅରୁଣ ମାରବାହାଙ୍କୁ ଗୁପ୍ତ ତଥ୍ୟ ପ୍ରଦାନ ମାମଲାରେ ଗିରଫ କରାଯାଇଥିଲା। ଅନିକା ରୋହତକ୍‌ର ସେନା ଯବାନ ଗୌରବ ଏବଂ ପଠାଣକୋଟରେ ମୁତୟନ ଥିବା ଏୟାରମ୍ୟାନ୍‌ ସୁନୀଲ କୁମାରଙ୍କୁ ମଧ୍ୟ ହନିଟ୍ରାପ୍‌ କରିଥିଲେ। ଏହାପୂର୍ବରୁ ସିକନ୍ଦରାବାଦ୍‌ରେ ମୁତୟନ ଥିବା ନାଏବ୍‌ ସୁବେଦାର ପାଟନ କୁମାର ପୋଦାର ମଧ୍ୟ ଅନିକାଙ୍କ ମାୟା ଜାଲରେ ପଡ଼ି କେତେକ ଗୁପ୍ତ ତଥ୍ୟ ହସ୍ତାନ୍ତର କରିଥିଲେ। ଏହା ବଦଳରେ ପାଟନ କୁମାରଙ୍କ ପାଖକୁ କେତେକ ଅଶ୍ଳୀଳ ଫଟୋ ଅନିକା ପଠାଇଥିଲା।

Share