Categories: ଖେଳ

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁକୁ ହରାଇଲା ଏଟିକେ

କୋଲକାତା, ୨୬।୧୨ (ପି.ଟି.)- ଦୁଇଥରର ଇଣ୍ଡିଆନ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଏଟିକେ କ୍ରୀସମାସରେ ବିଜୟ ସ୍ବାଦ ଚାଖିଛି। ବୁଧବାର ଖେଳାଯାଇଥିବା ଆଇଏସ୍‌ଏଲ୍‌ର ଏକ ମ୍ୟାଚ୍‌ରେ ଘରୋଇ ଏଟିକେ ଦଳ ୧-୦ ଗୋଲରେ ଡିଫେଣ୍ଡିଂ ଚାମ୍ପିୟନ ବେଙ୍ଗାଲୁରୁ ଏଫ୍‌ସିକୁ ପରାସ୍ତ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିଲା। ତେବେ ଦ୍ୱିତୀୟାର୍ଦ୍ଧ ପ୍ରାରମ୍ଭରୁ ଅଷ୍ଟ୍ରେଲିଆ ଷ୍ଟ୍ରାଇକର ଡେଭିଡ୍‌ ଓ୍ବିଲିୟମ୍ସ ଏକ ଚମତ୍କାର ଗୋଲସ୍କୋର କରି ଏଟିକେକୁ କ୍ରିସମାସରେ ବିଜୟ ଭେଟି ଦେଇଥିଲେ। ଏଥିସହ ଆଇଏସ୍‌ଏଲ୍‌ ଇତିହାସରେ ଏଟିକେ ପ୍ରଥମଥର ଲାଗି ବେଙ୍ଗାଲୁରୁ ଏଫ୍‌ସି ବିପକ୍ଷରେ ବିଜୟ ହାସଲ କରିବାର ସୌଭାଗ୍ୟ ଲାଭ କରିଛି। ସେହିଭଳି ଏଟିକେ ୧୦ ମ୍ୟାଚ୍‌ରୁ ୫ ବିଜୟ ସହ ୧୮ ପଏଣ୍ଟ ପାଇ ଟେବୁଲ ତାଲିକାର ଶୀର୍ଷକୁ ଉଠିଛି। ଗୋଆ ୯ ମ୍ୟାଚ୍‌ରୁ ସମାନ ସଂଖ୍ୟକ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଗୋଲ ଦୃଷ୍ଟିରୁ ଏଟିକେ ଏକ ନମ୍ବର ସ୍ଥାନ ଲାଭ କରିଛି। ଅପରପକ୍ଷରେ ୧୦ ମ୍ୟାଚ୍‌ରୁ ୪ର୍ଥ ପରାଜୟ ସହ ବେଙ୍ଗାଲୁରୁ ୧୬ ପଏଣ୍ଟ ପାଇ ତାଲିକାର ୩ୟ ସ୍ଥାନରେ ରହିଛି।

Share