Categories: ଖେଳ

ଆଇଏସ୍‌ଏଲ୍‌: ମୁମ୍ବାଇ-ନର୍ଥଇଷ୍ଟ ମ୍ୟାଚ୍‌ ଡ୍ର

ଗୁଆହାଟୀ, ୨୮।୧୧ (ପି.ଟି.)- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ରେ ବୁଧବାର ମୁମ୍ବାଇ ଏଫ୍‌ସି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ ଡ୍ର’ରେ ସମାପ୍ତ ହୋଇଛି। ନିର୍ଦ୍ଧାରିତ ସମୟ ସୀମା ସୁଦ୍ଧା ଉଭୟ ଦଳ ୨ଟି ଲେଖାଏ ଗୋଲସ୍କୋର କରିବାରୁ ମ୍ୟାଚ୍‌ ୨-୨ରେ ଶେଷ ହୋଇଥିଲା। ଘଟଣାକ୍ରମେ ଏହି ୪ଟି ଯାକ ଗୋଲ ପ୍ରଥମାର୍ଦ୍ଧରେ ହିଁ ଦେଖିବାକୁ ମିଳିଥିଲା। ମ୍ୟାଚ୍‌ର ୯ମ ମିନିଟ୍‌ରେ ପାନାଗିଓଟିସ ତ୍ରିଆଡିସ ଘରୋଇ ନର୍ଥଇଷ୍ଟ ପାଇଁ ପ୍ରଥମ ଗୋଲସ୍କୋର କରିଥିଲେ। ଏହାପରେ ମୁମ୍ବାଇ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରି ୯ ମିନିଟ୍‌ ଅନ୍ତରରେ ୨ଟି ଗୋଲ ଦେଇଥିଲା। ୨୩ ଓ ୩୨ତମ ମିନିଟ୍‌ରେ ଆମିନେ ଚେର୍ମିଟି ଏହି ଦୁଇଟି ଗୋଲସ୍କୋର କରି ମୁମ୍ବାଇ ଶିବିରରେ ଖୁସିର ଲହରି ଖେଳାଇ ଦେଇଥିଲେ। ତେବେ ଏହାର ୧୦ ମିନିଟ୍‌ ପରେ ଆସାମୋହ ଜ୍ଞାନ (୪୨ତମ)ଙ୍କ ଗୋଲ ବଳରେ ନର୍ଥଇଷ୍ଟ ମ୍ୟାଚ୍‌କୁ ୨-୨ସ୍ତରକୁ ଆଣିବାକୁ ସଫଳ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ଉଭୟ ଦଳ ଗୋଲ କରିବାରେ ବିଫଳ ହେବାରୁ ମ୍ୟାଚ୍‌ ଅମୀମାସିଂତ ରହିଥିଲା। ଫଳରେ ଉଭୟ ଦଳ ୧ ପଏଣ୍ଟ ଲେଖାଏ ଭାଗ କରି ନେଇଥିଲେ। ୫ ମ୍ୟାଚ୍‌ରୁ ୯ ପଏଣ୍ଟ ପାଇ ନର୍ଥଇଷ୍ଟ ଟେବୁଲ ତାଲିକାର ୪ର୍ଥ ସ୍ଥାନରେ ରହିଥିବାବେଳେ ମୁମ୍ବାଇ (୫ ପଏଣ୍ଟ) ୭ମ ସ୍ଥାନ ଲାଭ କରିଛି। ଗୁରୁବାର ଚେନ୍ନାଇନ ଏଫ୍‌ସି ଓ ଓଡ଼ିଶା ଏଫ୍‌ସି ମଧ୍ୟରେ ମ୍ୟାଚ୍‌ ଖେଳାଯିବ। ଚେନ୍ନାଇର ଜବାହରଲାଲ ନେହରୁ ଷ୍ଟାଡିୟମରେ ଏହା ଅନୁଷ୍ଠିତ ହେବ।

Share