Categories: ଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଆଜିଠାରୁ : ପଦକ ଲକ୍ଷ୍ୟରେ ଅପୂର୍ବୀ, ଅଞ୍ଜୁମ

ନୂଆଦିଲ୍ଲୀ, ୨୫।୫(ପି.ଟି.)- ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ରାଇଫଲ୍‌/ପିସ୍ତଲ ବିଶ୍ୱକପ୍‌ ରବିବାରଠାରୁ ଜର୍ମାନୀର ମ୍ୟୁନିକ ସହରରେ ଆରମ୍ଭ ହେବାକୁ ଯାଉଛି। ଏହାହେବ ବର୍ଷର ୩ୟ ଶୁଟିଂ ବିଶ୍ୱକପ୍‌। ଏହି ବିଶ୍ୱକପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟାର୍‌ ଶୁଟର୍‌ ଅପୂର୍ବୀ ଚାଣ୍ଡେଲା, ଅଞ୍ଜୁମ ମୌଦଗିଲ ଓ ଏଲାଭେନିଲ ଭଲାରିଭାନ ପ୍ରମୁଖ ପଦକ ଜିତି ୨୦୨୦ ଟୋକିଓ ଅଲିମ୍ପିକକୁ ଯୋଗ୍ୟତା ହାସଲ କରିବା ଲକ୍ଷ୍ୟରେ ରହିଛନ୍ତି। ମୋଟ୍‌ ୯୮ଟି ଦେଶରୁ ୯୧୯ ଜଣ ଶୁଟର୍‌ ଏହି ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଛନ୍ତି। ଯେଉଁଥିରୁ ଟୋକିଓ ଅଲିମ୍ପିକ ପାଇଁ ୧୭ଟି କୋଟା ରହିଛି। ପ୍ରଥମ ଦିବସରେ ମହିଳା ୧୦ ମିଟର ଏୟାର ରାଇଫଲ୍‌ ଫାଇନାଲ ଅନୁଷ୍ଠିତ ହେବ।
ପ୍ରତିଯୋଗିତାରେ ଭାରତରୁ ୩୫ ଜଣ ପ୍ରତିନିଧିତ୍ୱ କରୁଛନ୍ତି। ଆସନ୍ତା ୫ ଦିନ ଧରି ଚାଲିବାକୁ ଥିବା ଏହି ବିଶ୍ୱକପ୍‌ରେ ଭାରତୀୟ ଶୁଟର୍‌ଙ୍କ ପ୍ରଦର୍ଶନ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଭାରତୀୟ ଶୁଟର୍‌ମାନେ ବର୍ତ୍ତମାନ ସୁଦ୍ଧା ଅଲିମ୍ପିକ ଲାଗି ୫ଟି କୋଟା ସ୍ଥାନ ହାସଲ କରିସାରିଛନ୍ତି। ଅପୂର୍ବୀ ଓ ଅଞ୍ଜୁମଙ୍କ ବ୍ୟତୀତ ପୁରୁଷ ବର୍ଗରେ ସୌରଭ ଚୌଧାରୀ, ଅଭିଷେକ ବର୍ମା ଓ ଦିବ୍ୟାଂଶ ସିଂ ପନଓ୍ବର ମଧ୍ୟ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଂଶଗ୍ରହଣ କରିବେ।

Share