Categories: ଖେଳ

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌: ଅଭିଷେକଙ୍କୁ ସ୍ବର୍ଣ୍ଣ, ସୌରଭଙ୍କୁ ବ୍ରୋଞ୍ଜ

ରିଓ ଡି’ ଜାନିରୋ,୩୦।୮: ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ସହ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଭିଷେକ ବର୍ମା ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୮ ଜଣିଆ ଫାଇନାଲରେ ବର୍ମା ସର୍ବାଧିକ ୨୪୪.୨ ସ୍କୋର କରି ପୋଡିୟମ୍‌ର ଶୀର୍ଷ ସ୍ଥାନ ହାସଲ କରିଥିଲେ। ଏହି ଇଭେଣ୍ଟରେ ଭାରତକୁ ଦ୍ୱିତୀୟ ପଦକ ଆଣି ଦେଇଛନ୍ତି ସୌରଭ ଚୌଧାରୀ। ସେ ୨୨୧.୯ ସ୍କୋର କରି ବ୍ରୋଞ୍ଜ ପଦକ ହାତେଇଛନ୍ତି। ତୁର୍କୀର ଇସମାଇଲ କେଲେସ (୨୪୩.୧)ଙ୍କୁ ରୌପ୍ୟ ପଦକ ମିଳିଛି। ଉଭୟ ବର୍ମା ଓ ଚୌଧାରୀ ଗତ ବିଶ୍ୱକପ୍‌ ଇଭେଣ୍ଟରେ କୋଟା ହାତେଇଥିଲେ। ସର୍ବାଧିକ ୨ ସ୍ବର୍ଣ୍ଣ, ଗୋଟିଏ ଲେଖାଏ ରୌପ୍ୟ ଓ ବ୍ରୋଞ୍ଜ ସହ ଭାରତ ପଦକ ତାଲିକାରେ ଶୀର୍ଷରେ ରହିଛି। ଏଥିପୂର୍ବରୁ ଇଲାଭେନିଲ ଭଲାରିଭାନ ମହିଳା ୧୦ ମି. ଏୟାର ରାଇଫଲ ଇଭେଣ୍ଟରେ ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପରେ ସଞ୍ଜୀବ ରାଜପୁତ ୫୦ ମି. ରାଇଫଲ ୩ ପୋଜିଶନରେ ରୌପ୍ୟ ଜିତି ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିଲେ।

Share