ଆଇଓସିର ଅଲିମ୍ପିକ୍‌ ଘୁଞ୍ଚାଇବା ନିଷ୍ପତ୍ତି ଠିକ୍‌ ଥିଲା: ହିମା

ନୂଆଦିଲ୍ଲୀ,୨୭।୫: କୋଭିଡ-୧୯ ମହାମାରୀକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଟୋକିଓରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସକୁ ଆସନ୍ତାବର୍ଷକୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତ୍‌ି ଏକଦମ୍‌ ଠିକ୍‌ ଥିଲା ବୋଲି ଭାରତୀୟ ମହିଳା ସ୍ପ୍ରିଣ୍ଟର ହିମା ଦାସ କହିଛନ୍ତି। ଆଥଲେଟଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତା ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେବେ ଆଥଲେଟମାନଙ୍କ କ୍ୟାରିୟର ବହୁତ ଛୋଟ ବୋଲି ସେ ସ୍ବୀକାର କରିଛନ୍ତି। ପୁଣି ଇଞ୍ଜୁରି ପାଇବାର ମଧ୍ୟ ସମ୍ଭାବନା ରହିଛି। କିଭଳି ପ୍ରତ୍ୟାବର୍ତ୍ତନ କରିବାକୁ ହେବ ଓ ଅନ୍ତର୍ଜାତୀୟ ଇଭେଣ୍ଟରେ କିଭଳି ପଦକ ହାସଲ କରିବାକୁ ହେବ ତାହା ପେସାଦାର କ୍ରୀଡ଼ାବିତ୍‌ ଭଲଭାବେ ଜାଣନ୍ତି ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ ସମୟରେ ଟ୍ରାକ୍‌ରେ ଦୌଡିବାର ଅନୁଭୂତିକୁ ହରାଇଥିଲି। ତେବେ ଏହି ଅବସରରେ ଶାରୀରିକ ଓ ମାନସିକ ଭାବେ ଫିଟ୍‌ ରହିବା ପାଇଁ ଯୋଗ ଓ ମେଡିଟେଶନ କରିଥିଲି ବୋଲି ୨୦୧୮ ୨୦ ବର୍ଷରୁ କମ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ୪୦୦ମି. ଦୌଡ଼ ସ୍ବର୍ଣ୍ଣ ପଦକ ହାସଲ କରିଥିବା ହିମା କହିଛନ୍ତି। ସକାରାତ୍ମକ ମନୋଭାବ ପୋଷଣ କରିବା ଓ କଠିନ ପରିଶ୍ରମ କରିବା ଉପରେ ଅଧିକ ଧ୍ୟାନ ଦେଇଥାଏ ବୋଲି ୨୦ ବର୍ଷୀୟ ହିମା କହିଛନ୍ତି।

Share