ଆଇକନିକ୍‌ ଡେଷ୍ଟିନେଶନରୁ ଓଡ଼ିଶା ଗାଏବ: ବିଧାନସଭାରେ ଉଦ୍‌ବେଗ

ଭୁବନେଶ୍ୱର, ୧୨।୭(ବ୍ୟୁରୋ): କେନ୍ଦ୍ର ସରକାର ସମଗ୍ର ଦେଶରେ ୧୭ଟି ପର୍ଯ୍ୟଟନ ସ୍ଥଳକୁ ଆଇକନିକ୍‌ ଡେଷ୍ଟିନେଶନ ମାନ୍ୟତା ଦେଇଛନ୍ତି। ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ବିଶ୍ୱପ୍ରସିଦ୍ଧ ପୁରୀ ଓ କୋଣାର୍କକୁ ଏଥିରେ ସ୍ଥାନ ଦିଆଯାଇ ନାହିଁ। ଏହାଛଡ଼ା ରାଜ୍ୟର କୌଣସି ସ୍ଥାନକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶାସକ ଦଳର ସଦସ୍ୟମାନେ ଶୁକ୍ରବାର ବିଧାନସଭାରେ ଜୋର୍‌ଦାର ବିରୋଧ କରିଛନ୍ତି। ସର୍ବସମ୍ମତି କ୍ରମେ ଏ ନେଇ ଏକ ପ୍ରସ୍ତାବ ଗୃହରେ ପାରିତକରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉ ବୋଲି ସଦସ୍ୟମାନେ ଏକ ସ୍ବରରେ କହିଛନ୍ତି।
ବିଧାନସଭାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସଭ୍ୟ ପ୍ରଦୀପ ମହାରଥୀ କହିଥିଲେ ଯେ, କେନ୍ଦ୍ର ସରକାର ୧୭ଟି ଜାଗାକୁ ଆଇକନିକ୍‌ ଡେଷ୍ଟିନେଶନ ଘୋଷଣା କଲେ। ପୁରୀକୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇ ନାହିଁ। ପୁରୀ ଭଳି ତୀର୍ଥକ୍ଷେତ୍ର ବିଶ୍ୱରେ ପ୍ରସିଦ୍ଧ। ତୁରନ୍ତ କେନ୍ଦ୍ର ସରକାର ପୁରୀକୁ ଆଇକନିକ୍‌ ଡେଷ୍ଟିନେଶନ ପରିସରଭୁକ୍ତ କରିବାକୁ ସେ ଦାବି କହିଛନ୍ତି। ଶାସକ ଦଳ ସଭ୍ୟ ଅମର ଶତପଥୀ, ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଦାସ, ଅରବିନ୍ଦ ଢାଲି, ଭୂପିନ୍ଦର ସିଂହ, କିଶୋର ମହାନ୍ତି, ନୃସିଂହ ସାହୁ ପ୍ରମୁଖ ମହାରଥୀ ଉଠାଇଥିବା ପ୍ରସଙ୍ଗକୁ ଦୃଢ଼ ସମର୍ଥନ କରିଥିଲେ। କେନ୍ଦ୍ର ସରକାର କେଉଁ ପରିସ୍ଥିତିରେ ଏଭଳି ଘୋଷଣା କଲେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରତିବାଦକରି କେନ୍ଦ୍ରକୁ ଚିଠି ଲେଖିଛନ୍ତି। ରାଜ୍ୟ ଅଭିବୃଦ୍ଧିରେ ପର୍ଯ୍ୟଟନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପୁରୀ ଓ କୋଣାର୍କ ବ୍ୟତୀତ ଚିଲିକା, ଭିତରକନିକା ଭଳି ଅନେକ ପର୍ଯ୍ୟଟନ କ୍ଷେତ୍ର ରହିଛି। ଏଥିସହିତ ଓଡ଼ିଶାରେ ୬୨ ଶ୍ରେଣୀର ଆଦିବାସୀ ରହିଛନ୍ତି। ଏହା ସତ୍ତ୍ୱେ କେନ୍ଦ୍ର ବଜେଟରେ ଓଡ଼ିଶାରୁ କୌଣସି ସ୍ଥାନକୁ ଆଇକନିକ୍‌ ଡେଷ୍ଟିନେଶନରେ ସାମିଲ କରା ନ ଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧକରି ସର୍ବସମ୍ମତି କ୍ରମେ ଗୃହରେ ଏକ ପ୍ରସ୍ତାବ ପାରିତ କରାଯାଉ। ଏଥିପାଇଁ ଏକ କମିଟି ମଧ୍ୟ ଗଠନ ହେଉ। କମିଟି ଏ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଇବା ପାଇଁ ମଧ୍ୟ ସେମାନେ ଦାବି କରିଛନ୍ତି।

Share