ଆଇଜିଆଇଟି କଲେଜରେ ଛାତ୍ର ଅଶାନ୍ତି; ବି-ଟେକ୍‌ ଛାତ୍ରଙ୍କୁ ମାଡ଼ ଅଭିଯୋଗ

ପରଜଙ୍ଗ, ୧୮।୧୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ଛାତ୍ର ଅଶାନ୍ତି ଦେଖାଦେଇଛି। ଶନିବାର ଘଟିଥିବା ସାମାନ୍ୟ ଗଣ୍ଡଗୋଳ ରବିବାର ଉଗ୍ରରୂପ ନେଇଛି। ବି-ଟେକ୍‌ ଶେଷବର୍ଷର କେତେଜଣ ଛାତ୍ରଙ୍କ ମାଡ଼ରେ ୩ୟ ବର୍ଷ ଛାତ୍ର ନିର୍ମଳକୃଷ୍ଣ ଦାସ ଆହତ ହୋଇଛନ୍ତି। ଆହତ ଛାତ୍ରଜଣକ ଚିକିତ୍ସିତ ହୋଇ ଫେରିବା ପରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ କଲେଜରେ ଚାପା ଉତ୍ତେଜନା ଲାଗି ରହିଛି।
ଅଭିଯୋଗରେ ଦର୍ଶାଯାଇଛି ଯେ, ଶନିବାର ବିଳମ୍ବିତ ରାତିରେ ବି-ଟେକ୍‌ ୩ୟ ବର୍ଷ ଛାତ୍ର ପ୍ରଭୁଦତ୍ତ ବେହେରା ଏବଂ କେତେଜଣ ଶେଷବର୍ଷ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବରିଷ୍ଠ ଛାତ୍ରମାନେ ତାଙ୍କୁ ହଷ୍ଟେଲକୁ ନେଇଯାଇ ଗାଳିଗୁଲଜ କରିଥିଲେ। ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏହା ପରେ ଶେଷବର୍ଷ ଏବଂ ୩ୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଫୋନରେ ଗାଳିମନ୍ଦ ହୋଇଥିଲା। ରବିବାର ଶେଷବର୍ଷ ଛାତ୍ରମାନେ ମୋବାଇଲ ଫେରାଇ ନେବାକୁ ଡାକିଥିଲେ। ୩ୟ ବର୍ଷ ଛାତ୍ରମାନେ ପହଞ୍ଚତ୍ବା କ୍ଷଣି ଏକାଠି ହୋଇଥିବା ବରିଷ୍ଠ ଛାତ୍ରମାନେ ନିର୍ମଳକୃଷ୍ଣଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ଥାନାଧିକାରୀ ବିଜୟ କୁମାର ହାଇବ୍ରୁ, ଏସ୍‌ଆଇ ପଦ୍ମନାଭ ଲେଙ୍କା, ସରାଙ୍ଗ ଫାଣ୍ଡି ଅଧିକାରୀ ଦାମୋଦର ସାହୁ ପ୍ରମୁଖ ପହଞ୍ଚତ୍ ଉଭୟ ଗୋଷ୍ଠୀର ଛାତ୍ରଙ୍କୁ ଡାକି ବୁଝାଶୁଝା କରିବା ସହ ଝଗଡ଼ାରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଇଥିଲେ।
ଏ ନେଇ ଥାନାଧିକାରୀ କୁହନ୍ତି, ଛାତ୍ର ନିର୍ମଳକୃଷ୍ଣ ଦାସ ଶେଷବର୍ଷର କେତେଜଣ ଛାତ୍ରଙ୍କ ନାମରେ ଅଭିଯୋଗ କରିଛନ୍ତି। ଘଟଣାର ତଦନ୍ତ ଚାଲିଛି। କଲେଜ ବାତାବରଣ ଶାନ୍ତ ଅଛି। ଏ ନେଇ ନିର୍ମଳ କୁହନ୍ତି, ତାଙ୍କୁ କଲେଜ ଗେଟ୍‌ ସମ୍ମୁଖରେ ସଂଘବଦ୍ଧ ଆକ୍ରମଣ କରାଯାଇଛି। ସେ ଚିହ୍ନିଥିବା କେତେଜଣ ଛାତ୍ରଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Share