ଆଇଜିଆଇଟି କଲେଜ ଛାତ୍ରଙ୍କୁ ମାଡ଼ ଘଟଣା, ୫ ଅଟକ:ପ୍ରତିବାଦରେ ନିର୍ଦ୍ଦେଶକଙ୍କୁ ଘେରାଉ

ପରଜଙ୍ଗ,୧୯।୧୧(ଡି.ଏନ.ଏ.)

ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଇନ୍ଦିରା ଗାନ୍ଧୀ ବୈଷୟିକ ଅନୁଷ୍ଠାନ (ଆଇଜିଆଇଟି)ରେ ବି-ଟେକ ୩ୟ ବର୍ଷ ଛାତ୍ର ନିର୍ମଳକୃଷ୍ଣ ଦାସଙ୍କୁ ମାଡ଼ ଘଟଣାରେ ସୋମବାର ଶେଷ ବର୍ଷର ୫ ଜଣ ଛାତ୍ରଙ୍କୁ ପୋଲିସ ଉଠାଇ ଆଣି ଥାନାରେ ଅଟକ ରଖିଛି। ଏହାକୁ ନେଇ କଲେଜରେ ଚାପା ଉତ୍ତେଜନା ଦେଖାଦେଇଛି। ଏହାର ପ୍ରତିବାଦରେ ଶେଷ ବର୍ଷର ଛାତ୍ରମାନେ ଗେଟରେ ତାଲା ପକାଇ ଅଟକ ଛାତ୍ରଙ୍କୁ ଛାଡିବା ଜିଦ୍‌ରେ କଲେଜ ନିର୍ଦ୍ଦେଶକଙ୍କୁ ଘେରାଉ କରିଛନ୍ତି।
ପ୍ରକାଶ ଯେ, ଶନିବାର ବିଳମ୍ବିତ ରାତିରେ ବି-ଟେକ୍‌ ୩ୟ ବର୍ଷ ଛାତ୍ର ପ୍ରଭୁଦତ୍ତ ବେହେରା ଏବଂ କେତେଜଣ ଶେଷବର୍ଷ ଛାତ୍ରଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବରିଷ୍ଠ ଛାତ୍ରମାନେ ତାଙ୍କୁ ହଷ୍ଟେଲକୁ ନେଇଯାଇ ଗାଳିଗୁଲଜ କରିଥିଲେ। ତାଙ୍କ ମୋବାଇଲ ଛଡ଼ାଇ ନେଇଥିଲେ। ଏହା ପରେ ଶେଷବର୍ଷ ଏବଂ ୩ୟ ବର୍ଷ ଛାତ୍ରଙ୍କ ମଧ୍ୟରେ ଫୋନରେ ଗାଳିମନ୍ଦ ହୋଇଥିଲା। ରବିବାର ଶେଷବର୍ଷ ଛାତ୍ରମାନେ ମୋବାଇଲ ଫେରାଇ ନେବାକୁ ଡାକିଥିଲେ। ୩ୟବର୍ଷ ଛାତ୍ର ପହଞ୍ଚତ୍ବା କ୍ଷତି ଏକାଠି ହୋଇଥିବା ବରିଷ୍ଠ ଛାତ୍ରମାନେ ନିର୍ମଳକୃଷ୍ଣ ଦାସଙ୍କୁ ଆକ୍ରମଣ କରିଥିଲେ। ଏ ନେଇ ନିର୍ମଳକୃଷ୍ଣ ପରଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ କହିଛନ୍ତି, ଅଭିଯୋଗକୁ ଭିତ୍ତି କରି ଛାତ୍ରମାନଙ୍କୁ ଅଟକ ରଖାଯାଇଛି। ଘଟଣାର ତଦନ୍ତ ଚାଲିଛି।