ଆଇଟିଆର୍‌ ଲଞ୍ଚପ୍ୟାଡ୍‌ରୁ ‘ପିନାକା’ର ୩ଥର ବ୍ୟବହାରିକ ପରୀକ୍ଷଣ

ବାଲେଶ୍ୱର ଅଫିସ,୨୪।୧୨-ବାଲେଶ୍ୱର ଜିଲା ଚାନ୍ଦିପୁରସ୍ଥିତ ସମନ୍ବିତ ପରୀକ୍ଷଣ କେନ୍ଦ୍ର(ଆଇଟିଆର୍‌) ୩ ନମ୍ବର ଲଞ୍ଚପ୍ୟାଡ୍‌ରୁ ମଙ୍ଗଳବାର ବହୁମୁଖୀ ରକେଟ ଲଞ୍ଚର ‘ପିନାକା’ର ୩ଥର ପରୀକ୍ଷଣ କରାଯାଇଛି। ଏସବୁ ପରୀକ୍ଷଣ ସଫଳ ହୋଇଥିବା ଆଇଟିଆର ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ବାୟୁସେନାରେ ‘ପିନାକା’ ରକେଟ ସାମିଲ ହେବା ପରେ କାର୍ଗିଲ ଯୁଦ୍ଧ ସମୟରେ ପ୍ରଥମେ ଏହାର ବ୍ୟବହାର କରାଯାଇଥିଲା। ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା (ଡିଆର୍‌ଡିଓ) ପକ୍ଷରୁ ପରେ ଏହାକୁ ବିକଶିତ କରାଯାଇ ବହୁମୁଖୀ ରକେଟ୍‌ ଲଞ୍ଚର ରୂପ ଦିଆଯାଇଛି।

ଡିଆର୍‌ଡିଓର ପ୍ରୁଫ୍‌ ଆଣ୍ଡ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିଶମେଣ୍ଟ (ପିଏକ୍ସଇ) ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନରେ ଏକ ଟ୍ରକ୍‌ ଯୋଗେ ‘ପିନାକା’ର ଏହି ବ୍ୟବହାରିକ ପରୀକ୍ଷଣ କରାଯାଇଥିଲା। ଡିଆର୍‌ଡିଓ ବୈଜ୍ଞାନିକ ଓ ଏହି ପ୍ରକଳ୍ପ ସହ ସମ୍ପୃକ୍ତ ବିଶେଷଜ୍ଞ ଉପସ୍ଥିତ ଥିଲେ। ପୂର୍ବାହ୍ନ ୧୦ଟା ୫୪ରେ ପ୍ରଥମ, ୧୧ଟା ୨୮ରେ ଦ୍ୱିତୀୟ ଓ ୧୨ଟା ୩ ମିନିଟ୍‌ ସମୟରେ ତୃତୀୟ ଥର ଲାଗି ଏହାକୁ ଉତ୍‌କ୍ଷେପଣ କରାଯାଇଥିଲା। ପିନାକା ୪୦ କି.ମି. ଦୂରତା ଯାଏ ଲକ୍ଷ୍ୟଭେଦ କରିପାରିବାର କ୍ଷମତା ରଖିଛି। ଏହା ୧ କିଲୋ ୨୫୦ ଗ୍ରାମ୍‌ ଓଜନର ବିସ୍ଫୋରକ ବହନ କରିପାରିବ। ପୂର୍ବରୁ ‘ପିନାକା’ ଏକାଧିକ ବାର ସଫଳ ପରୀକ୍ଷଣ ହୋଇଥିବା ଡିଆର୍‌ଡିଓ ପକ୍ଷରୁ କୁହାଯାଇଛି।

Share