ଆଇଟିଡିଏ ଜେଇଙ୍କୁ ପଦୋନ୍ନତି ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ,୪ା୯-ରାଜ୍ୟ ସରକାର ଲୋକଙ୍କୁ ସୁଶାସନ ଦେବା ପାଇଁ ଏବେ ୫ଟି ଉପରେ ଗୁରୁତ୍ୱ ଦେଉଛନ୍ତି। କିଛି ଦିନ ହେବ ଏହି ମର୍ମରେ କେତେଜଣ ସରକାରୀ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ଅବସରପ୍ରାପ୍ତ କର୍ମଚାରୀ ଯଥା ଯନ୍ତ୍ରୀ ଏବଂ ଅନ୍ୟମାନଙ୍କ ପେନସନ ବନ୍ଦ କରି ଦିଆଯାଇଛି। ଏହା ସତ୍ତ୍ୱେ କନ୍ଧମାଳ ଜିଲା ପ୍ରଶାସନ ଚେତୁନି। ଦୁର୍ନୀତି ପାଇଁ ବାଟ ଖୋଲି ଚାଲିଛି। ବାଲିଗୁଡା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ)ର ୨ ଯନ୍ତ୍ରୀଙ୍କୁ ବ୍ଲକ ସହକାରୀ ଯନ୍ତ୍ରୀ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକ ଚର୍ଚ୍ଚାକୁ ଆସୁଥିବା ଯନ୍ତ୍ରୀ ପବିତ୍ରମୋହନ ସାହୁଙ୍କ ମୂଳ ନିଯୁକ୍ତି ହେଉଛି ଜନସେଚନ ବିଭାଗ। ସେ ପ୍ରଥମେ ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଥିଲେ। ପରେ ଡେପୁଟେଶନରେ ପଞ୍ଚାୟତିରାଜ ବିଭାଗ(ପିଆର) ଫିରଙ୍ଗିିଆ ବ୍ଲକରେ କନିଷ୍ଠ ଯନ୍ତ୍ରୀ ଦାୟିତ୍ୱରେ ଥିଲେ। ସରକାର ନିଷ୍ପତି ନେଲେ ଯେଉଁମାନେ ମୂଳ ସ୍ଥାନରେ ନିଯୁକ୍ତି ପାଇଥିଲେ ସେମାନଙ୍କୁ ପୁଣି ସେଠାକୁ ଯିବାକୁ ପଡିବ। ଫଳରେ ଯନ୍ତ୍ରୀ ପବିତ୍ର ନିଜ ସ୍ଥାନକୁ ଫେରିଲେ। ପୁଣି ସେ ଡେପୁଟେଶନରେ ବାଲିଗୁଡା ଆଇଟିଡିଏକୁ ଆସିବାରେ ସକ୍ଷମ ହେଲେ। ସେଠାରେ କିଛି ଦିନ ରହିବା ପରେ ଫୁଲବାଣୀ ଆଇଟିଡିଏକୁ ଆସିବାକୁ ମନ ବଳାଇଲେ। ଦେହ ଖରାପ ଥିବା ଦର୍ଶାଇ ଜିଲା ପ୍ରଶାସନକୁ ଡେପୁଟେଶନରେ ଫୁଲବାଣୀ ଯିବାକୁ ଦରଖାସ୍ତ କଲେ। ଏହାକୁ ପ୍ରଶାସନ ମାନି ନେଇ ତାଙ୍କୁ ଫୁଲବାଣୀ ଆଇଟିଡିଏ ଆଣିଲା। ହେଲେ ଚିଠିରେ ତାଙ୍କୁ ଫୁଲବାଣୀ ବ୍ଲକ ସହକାରୀ ଯନ୍ତ୍ରୀ ଦାୟିତ୍ୱ ତୁଲାଇବା ପାଇଁ ନିର୍ଦ୍ଦେଶ ଦିଆଗଲା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। କାରଣ ଆଇଟିଡିଏରେ ଜେଇ ହୋଇ ବ୍ଲକରେ ସହକାରୀ ଯନ୍ତ୍ରୀ କାର୍ଯ୍ୟ କରିବା କେଉଁ ନ୍ୟାୟରେ ବୋଲି ଚର୍ଚ୍ଚା ହେଉଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଯନ୍ତ୍ରୀ ଜଣକ ଫିରଙ୍ଗିିଆ ବ୍ଳକରେ ଥିବା ବେଳେ ବହୁ କାର୍ଯ୍ୟ ନିମ୍ନମାନର ହୋଇଥିଲା। ଏବେ ସେ ଫୁଲବାଣୀ ଆଇଟିଡିଏର ଫିରିଙ୍ଗିଆ ବ୍ଲକ ଦାୟିତ୍ୱରେ ଅଛନ୍ତି। ତେଣୁ ୫-ଟି ସାକାର ହେବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ସେହିପରି ବାଲିଗୁଡା ଆଇଟିଡିଏର କନିଷ୍ଠ ଯନ୍ତ୍ରୀ ରୋହିତ ବେହେରା ଜି.ଉଦୟଗିରି ବ୍ଲକ ଦାୟିତ୍ୱରେ ଅଛନ୍ତି। ମାତ୍ର ତାଙ୍କୁ ତୁମୁଡିବନ୍ଧ ବ୍ଲକ ସହକାରୀ ଯନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଜି.ଉଦୟଗିରି ଏବଂ ବାଲିଗୁଡାରୁ ତୁମୁଡିବନ୍ଧ ଯିବା ତାଙ୍କ ପକ୍ଷେ ଅଧିକାଂଶ ସମୟରେ ସମ୍ଭବ ହେଉନହିଁ। ଫଳରେ ପଞ୍ଚାୟତ କାର୍ଯ୍ୟ ତଦାରଖ କରି ପାରୁ ନ ଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ସେ କନିଷ୍ଠ ଯନ୍ତ୍ରୀ ହୋଇଥିବାରୁ ବ୍ଲକରେ ତାଙ୍କୁ ସହକାରୀ ଯନ୍ତ୍ରୀ ଭାବେ ଅନ୍ୟ କନିଷ୍ଠ ଯନ୍ତ୍ରୀମାନେ ଗ୍ରହଣ କରି ପାରୁନାହାନ୍ତି।

Share