Categories: ବାଣିଜ୍ୟ

ଆଇଡିବିଆଇ ବ୍ୟାଙ୍କକୁ ମିଳିବ ୯୩୦୦ କୋଟି ପୁଞ୍ଜି ସହାୟତା

ନୂଆଦିଲ୍ଲୀ, ୪-୯: ଆଇଡିବିଆଇ ବ୍ୟାଙ୍କକୁ କେନ୍ଦ୍ର ସରକାର ୯,୩୦୦ କୋଟି ଟଙ୍କାର ପୁଞ୍ଜି ସହାୟତା ପ୍ରଦାନ କରିବେ। ବ୍ୟାଙ୍କର ପୁଞ୍ଜିକୁ ବୃଦ୍ଧି କରିବା ତଥା ଏହାକୁ ଲାଭଜନକ ସ୍ଥିତିକୁ ଆଣିବା ଲାଗି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ ଏହି ପୁଞ୍ଜି ସହାୟତା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଆଇଡିବିଆଇ ବ୍ୟାଙ୍କକୁ ଲାଭଜନକ ସ୍ଥିତିକୁ ଆଣିବା ଦିଗରେ ଏହି ପଦକ୍ଷେପ ସହାୟତା କରିବ। ଏ ଦିଗରେ ସରକାରଙ୍କ ଉଦ୍ୟମ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି। ଉକ୍ତ ପୁଞ୍ଜି ସହାୟତା ଲାଭ କରିବା ଦ୍ୱାରା ବ୍ୟାଙ୍କ ଋଣ ପ୍ରଦାନ ଏବଂ ଲାଭ ହାସଲ କରିବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି। ବ୍ୟାଙ୍କରେ ସରକାର ଏବଂ ଏଲ୍‌ଆଇସି ଏକାସାଙ୍ଗରେ ପୁଞ୍ଜି ନିବେଶ କରିବେ। ଏହା ଦ୍ୱାରା ଏଲ୍‌ଆଇସି ଏବଂ ଆଇଡିବିଆଇ ଉଭୟଙ୍କର ଲାଭ ହେବ। ବ୍ୟାଙ୍କ ଉନ୍ନତ ସ୍ତରକୁ ଆସିବା ସହ ସରକାର ତାଙ୍କର ପ୍ରତିବଦ୍ଧତା ଦିଗରେ କାର୍ଯ୍ୟ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି।
୯ ହଜାର କୋଟି ଟଙ୍କା ମଧ୍ୟରୁ ସରକାର ୪୫୭୫ କୋଟି ଟଙ୍କା ପ୍ରଦାନ କରିବେ। ସେହିଭଳି ଏଥିରେ ଏଲ୍‌ଆଇସି ୪୭୦୦ କୋଟି ଟଙ୍କା ଦେବ। ଚଳିତ ବର୍ଷ ଜାନୁୟାରୀ ମାସରେ ଆଇଡିବିଆଇ ବ୍ୟାଙ୍କର ୫୧% ଅଂଶଧନକୁ ଏଲଆଇସି ଅଧିଗ୍ରହଣ କରିଥିଲା। ଏଭଳି ପଦକ୍ଷେପ ଦ୍ୱାରା ଆଇଡିବିଆଇ ରିଜର୍ଭ ବ୍ୟାଙ୍କର ପିସିଏ କାର୍ଯ୍ୟାନୁଷ୍ଠାନ ପରିସରରୁ ଶୀଘ୍ର ବାହାରିବ ବୋଲି ଆଶା କରାଯାଉଛି। ନିକଟରେ ବ୍ୟାଙ୍କ ଏହାର ନେଟ ଏନ୍‌ପିଏକୁ ୧୮.୮%ରୁ ୮%କୁ ହ୍ରାସ କରିଛି। ବର୍ତ୍ତମାନ ଆଇଡିବିଆଇ ୮୦୦ ଶାଖା ସହ ସେବା ଯୋଗାଉଛି। ବ୍ୟାଙ୍କରେ ୧୮ ହଜାର କର୍ମଚାରୀ ଏବଂ ୧.୫ କୋଟି ରିଟେଲ ଗ୍ରାହକ ରହିଛନ୍ତି। ୨୦୧୯ ଜୁନ ତ୍ରୈମାସରେ ବ୍ୟାଙ୍କର ନେଟ କ୍ଷତି ୩୮୦୧ କୋଟି ଟଙ୍କା ରହିଛି। ଯାହା ଗତ ବର୍ଷ ସମାନ ସମୟରେ ୨୪୧୦ କୋଟି ଟଙ୍କା ରହିଥିଲା।

Share