ଆଇତିପୁର ପଞ୍ଚାୟତ ହାଇସ୍କୁଲ ବିବାଦ ବଢୁଛି, ଜିଲାପାଳଙ୍କଠାରେ ଫେରାଦ ହେଲେ ଲୋକେ

ହାଟଡିହୀ,୧୨।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ହାଇସ୍କୁଲକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ, ପଞ୍ଚାୟତ ମଧ୍ୟ ଇଂରାଜୀ ବିଦ୍ୟାଳୟ ଜମି ଖାତା ନଂ.୧୪୯ ଓ ପ୍ଲଟ୍‌ ନଂ ୬୯ରେ ୩୬ ଡେସିମିଲି ଜାଗା ରହିଛି। ଏଥିରୁ ୧୬ ଡେସିମିଲି ଜାଗା ହାଇସ୍କୁଲ ନାମରେ କବଲା କରାଯାଇ ପଟ୍ଟା ପ୍ରସ୍ତୁତ ନିମନ୍ତେ ବ୍ୟବସ୍ଥା କରାଯାଉଥିଲା। ଯାହାର ଦାଖଲ ଖାରଜ କେସ୍‌ ନଂ. ୩୯୩୭/୧୯ ଅଟେ। ଏହାକୁ ବିରୋଧ କରି ପଞ୍ଚାୟତବାସୀ ଡଅଁର ଆରଆଇ ଓ କେନ୍ଦୁଝର ଜିଲାପାଳଙ୍କଠାରେ ଫେରାଦ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି। ଜିଲାପାଳ ଏ ଦିଗରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗକାରୀମାନେ କହିଛନ୍ତି। ପୂର୍ବରୁ ମଧ୍ୟ ହାଇସ୍କୁଲରେ ବିଭିନ୍ନ ବେନିୟମ କାର୍ଯ୍ୟକୁ ନେଇ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ମାମଲା ଦାୟର ହୋଇଥିଲା। ଅଭିଯୋଗ ଦିଗରେ ଅନୁଧ୍ୟାନ କରାଯାଉଥିବା ଡଅଁର ଆରଆଇ ଅଫିସ କର୍ତ୍ତୃପକ୍ଷ କହିଛନ୍ତି।