ଆଇନଜୀବୀଙ୍କୁ ମିଳିବ ଆର୍ଥିକ ସହାୟତା

କଟକ ଅଫିସ୍‌,୨।୪: କରୋନା ଯୋଗୁ ସାରା ରାଜ୍ୟରେ କୋର୍ଟଗୁଡ଼ିକ ବନ୍ଦ ରହିଛି। ଫଳରେ ବହୁ ଆଇନ୍‌ଜୀବୀ ସାମୟିକ ଭାବେ ଜୀବିକା ହରାଇଛନ୍ତି। ବିଶେଷକରି କନିଷ୍ଠ ଆଇନ୍‌ଜୀବୀମାନେ ପ୍ରଭାବିତ ହୋଇଛନ୍ତି। ଏଣୁ କ୍ଷତି ସହୁଥିବା ଆଇନ୍‌ଜୀବୀଙ୍କୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ନିଷ୍ପତ୍ତି ନେଇଛି ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦ। ବୁଧବାର ଅନୁଷ୍ଠିତ ପରିଷଦର ସ୍ବତନ୍ତ୍ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁ ଆଇନ୍‌ଜୀବୀମାନେ ୧୦ବର୍ଷରୁ କମ୍‌ ସମୟ ହେଲା ଏହି ପେସାରେ ସାମିଲ୍‌ ହୋଇଛନ୍ତି, ସେମାନଙ୍କୁ ହିଁ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି।
ପରିଷଦର ବୈଠକରେ ପାରିତ ରିଜୋଲ୍ୟୁଶନରେ ଉଲ୍ଲେଖ କରାଯାଇଛି ଯେ, କ୍ଷତି ସହୁଥିବା ଆଇନ୍‌ଜୀବୀଙ୍କୁ ପରିଷଦର ଆଡଭୋକେଟ୍‌ସ ୱେଲଫେୟାର୍‌ କର୍ପସ ଫଣ୍ଡରୁ ଆର୍ଥିକ ସହାୟତା ଦିଆଯିବ। ଯେଉଁ ଆଇନ୍‌ଜୀବୀମାନେ ଗତ ୧୦ବର୍ଷରୁ କମ୍‌ ସମୟ ହେଲା ପେସାରେ ଯୋଗଦେଇଛନ୍ତି ସେମାନଙ୍କୁ ଏଥିରେ ସାମିଲ୍‌ କରାଯିବ। ହେଲେ ସଂପୃକ୍ତ ଆଇନ୍‌ଜୀବୀ ସହାୟତା ନିହାତି ଆବଶ୍ୟକ କରୁଥିବା ଜରୁରୀ। ଏଥିଲାଗି ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ଆବେଦନ କରିବାକୁ ପଡ଼ିବ। ସେମାନେ ପ୍ରତିନିଧିତ୍ୱ କରୁଥିବା ସଂଘର ସଭାପତି ଓ ସମ୍ପାଦକଙ୍କ ପାଖରେ ଏହି ଆବେଦନପତ୍ର ଆସନ୍ତା ଏକ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ହେବ। ଆବେଦନ ଗ୍ରହଣ କରିବା ପରେ ସଭାପତି ଓ ସମ୍ପାଦକ ସେଗୁଡ଼ିକୁ ଯାଞ୍ଚ କରିବେ। ପରେ ତାହାକୁ ରାଜ୍ୟ ଆଇନ୍‌ଜୀବୀ ପରିଷଦର ସମ୍ପାଦକଙ୍କ ପାଖରେ ଦାଖଲ କରିବେ। ଆବେଦନ ପତ୍ରରେ ମିଥ୍ୟା ସୂଚନା ରହିଥିଲେ, ସମ୍ପୃକ୍ତ ଆଇନ୍‌ଜୀବୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମ୍ପୃୃକ୍ତ ସଭାପତି ଏବଂ ସମ୍ପାଦକଙ୍କୁ ମଧ୍ୟ ଏଥିପାଇଁ ଦାୟୀ କରାଯିବ। ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟି ଦ୍ୱାରା ନିଯୁକ୍ତ ଏକ କମିଟି ଏହି ଆବେଦନଗୁଡ଼ିକୁ ଯାଞ୍ଚ କରିବ।
ବୈଠକରେ ଅନ୍ୟ କେତେକ ବିଷୟ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଯେଉଁ ଆଇନ୍‌ଜୀବୀମାନେ ୧୫ବର୍ଷରୁ ଅଧିକ ସମୟ ହେଲା ଏହି ପେସାରେ ରହିଛନ୍ତି, ସେମାନେ କର୍ପସ ଫଣ୍ଡକୁ ଦାନ କରିବାକୁ ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ଏଥି ସହ ପାଣ୍ଠି ଯୋଗାଡ଼ ପାଇଁ ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆକୁ ଅନୁରୋଧ କରାଯିବ। ବାର୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆରେ ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦକୁ ପ୍ରତିନିଧିତ୍ୱ କରୁଥିବା ତଥା ବରିଷ୍ଠ ଆଇନ୍‌ଜୀବୀ ଡି.ପି. ଧଳଙ୍କୁ ଏଥିରେ ସହଯୋଗ ପାଇଁ ଅନୁରୋଧ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଆଡଭୋକେଟ୍‌ ଜେନେରାଲ୍‌ ତଥା ଓଡ଼ିଶା ରାଜ୍ୟ ଆଇନ୍‌ଜୀବୀ ପରିଷଦର ସ୍ବତନ୍ତ୍ର କମିଟିର ଅଧ୍ୟକ୍ଷ ଅଶୋକ ପରିଜା, ଉପସଭାପତି ଏ.କେ. ବରାଳ ଏବଂ ସଦସ୍ୟ ଏମ୍‌.ଆର୍‌. ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share