‘ଆଇନଜୀବୀଙ୍କୁ ମିଳୁ ୫ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ବୀମା’

କଟକ ଅଫିସ,୧।୩: ହାଇକୋର୍ଟ ବାର୍‌ ଆସୋସିଏଶନ ସମ୍ମିଳନୀ କକ୍ଷରେ ଶନିବାର ନିଖିଳ ଓଡ଼ିଶା ଆଇନ୍‌ଜୀବୀ ସଂଘର ୨୦୨୦ ବର୍ଷର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଭାପତି ବିଚିତ୍ର କୁମାର ବଡ଼ଜେନା ଏଥିରେ ଅଧ୍ୟକ୍ଷତା କରିଥିଲେ। ହାଇକୋର୍ଟ ଆଇନଜୀବୀ ସଂଘ ସଭାପତି ଗୋପାଳକୃଷ୍ଣ ମହାନ୍ତି ଏଥିରେ ନେତୃତ୍ୱ ନେଇଥିଲେ। ବୈଠକରେ ଆଇନଜୀବୀଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରାଯାଇଛି। ଆଇନଜୀବୀଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମା ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯିବ। ସେହିଭଳି ଯୁବ ଆଇନଜୀବୀଙ୍କୁ ମାସିକ ୫ହଜାର ଟଙ୍କା ଭତ୍ତା, ସମସ୍ତ ଆଇନ୍‌ଜୀବୀ ସଂଘ ପାଇଁ ବିଦ୍ୟୁତ୍‌, ପାଣି, ପାଠାଗାର, ସୁରକ୍ଷା ବ୍ୟବସ୍ଥା ଏବଂ ସମସ୍ତ ଜିଲା ସଦର ମହକୁମାରେ ଆଇନଜୀବୀ କଲ୍ୟାଣ ଭବନ ଏବଂ ପ୍ରତ୍ୟେକ ବାର୍‌ ଆସୋସିଏଶନ ପାଇଁ ଆମ୍ବୁଲାନ୍ସର ବ୍ୟବସ୍ଥା ନିମନ୍ତେ ସରକାରଙ୍କ ପାଖରେ ଦାବି କରାଯିବ। ସଂଘର ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। କାର୍ଯ୍ୟରତ ଆଇନଜୀବୀମାନେ କୌଣସି ଫୌଜଦାରୀ ମକଦ୍ଦମାର ସମ୍ମୁଖୀନ ହେଲେ ମକଦ୍ଦମା ପାଇଁ ରାଜ୍ୟ ଆଇନଜୀବୀ ପରିଷଦର ଅନୁମୋଦନ ନେବାକୁ ପଡ଼ିବ ବୋଲି ସିଆର୍‌ପିସିରେ ସଂଶୋଧନ/ରିଭ୍ୟୁ ରଖିବାକୁ ଦାବି କରାଯିବ। ସଂଘର ପରବର୍ତ୍ତୀ ବୈଠକ ନବରଙ୍ଗପୁରରେ ହେବ ବୋଲି ସର୍ବସମ୍ମତିରେ ନିଷ୍ପତ୍ତି ନିଆଯାଇଥିଲା। ଉପସଭାପତି ସୁଶାନ୍ତ କୁମାର ବରାଳ, ଉପଦେଷ୍ଟା ଶିବାନନ୍ଦ ରାୟ, ଶିଶିର ପାଢ଼ୀ, ଅକ୍ଷୟ କୁମାର ପତି, ପ୍ରଦୀପ କୁମାର ପଣ୍ଡା, ସଂଗଠନ ସମ୍ପାଦକ ବିଭୁ ପ୍ରସନ୍ନ ମହାପାତ୍ର, ଜ୍ୟୋତି ପ୍ରସାଦ ରଥ, ଦୁଷ୍ମନ୍ତ କୁମାର ବିଶ୍ୱାଳ, ଆଶିଷ କୁମାର ମିଶ୍ର, ପୀତବାସ ପଣ୍ଡା, ବିଶ୍ୱଜିତ ଦାସ, ମୁକ୍ତିକାନ୍ତ ଦାସ, ପ୍ରଦୀପ ପଟ୍ଟନାୟକ, ଗୋବର୍ଦ୍ଧନ ସାହୁ, ନିରଞ୍ଜନ ନାୟକ, ଅଭିଜିତ ଦାସ, ଜଗଦୀପ ସାହୁଙ୍କ ସମେତ ବହୁ ଆଇନ୍‌ଜୀବୀ ବୈଠକରେ ଉପସ୍ଥିତ ଥିଲେ।

Share