ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ମାମଲା:୨୯ରେ ପରବର୍ତ୍ତୀ ଶୁଣାଣି

କଟକ ଅଫିସ,୫ା୧୧: ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ତଥା ରାଜ୍ୟର ଅନ୍ୟ ବାର୍‌ ଆସୋସିଏଶନର କୋର୍ଟ ବର୍ଜନ ଆନ୍ଦୋଳନକୁ ନେଇ ହୋଇଥିବା ଅଦାଲତ ଅବମାନନା ମାମଲାର ଶୁଣାଣି ସୋମବାର ହାଇକୋର୍ଟରେ ହୋଇଥିଲା। ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ବସି ଏହି ମାମଲାର ଶୁଣାଣି କରିଥିବାବେଳେ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନର ସଭାପତି ଗୋପାଳକୃଷ୍ଣ ମହାନ୍ତି ଓ ସମ୍ପାଦକ ସଞ୍ଜୟ କୁମାର ଦାସ ବ୍ୟକ୍ତିଗତ ହାଜର ହୋଇଥିଲେ। ଶୁଣାଣି ସମୟରେ ଆସୋସିଏଶନ ସଭାପତି ଓ ସମ୍ପାଦକ ହାଇକୋର୍ଟ ପକ୍ଷରୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସର ଜବାବ ସତ୍ୟପାଠ ଆକାରରେ ଦାଖଲ କରିଥିଲେ। ସେହିପରି ଶନିବାର ବାର୍‌ ଆସୋସିଏଶନର ସାଧାରଣ ପରିଷଦ ବୈଠକର ରିଜୋଲ୍ୟୁସନ୍‌ କପି ଏବଂ ସୋମବାରଠାରୁ ବାର୍‌ ଆସୋସିଏଶନର ସମସ୍ତ ଆଇନଜୀବୀ କାର୍ଯ୍ୟରେ ଯୋଗଦେବା ନେଇ ସତ୍ୟପାଠ ଦାଖଲ କରାଯାଇଥିଲା। ଏହାପରେ ବାର୍‌ ଆସୋସିଏଶନ ସଭାପତି ଓ ସମ୍ପାଦକଙ୍କୁ ଏହି ମାମଲାରେ ଆଗକୁ ଶୁଣାଣି ନ ହେବା ପାଇଁ ହାଇକୋର୍ଟ ସ୍ଥଗିତ ରଖିଛନ୍ତି ବୋଲି ସମ୍ପାଦକ ଦାସ କହିଛନ୍ତି। ଆନ୍ଦୋଳନ ସମୟରେ ଅଦାଲତଙ୍କ କୌଣସି କାର୍ଯ୍ୟରେ ବାର୍‌ ଆସୋସିଏଶନ ପକ୍ଷରୁ ବାଧା ଦିଆଯାଇନାହିଁ, ବାହାର ଆଇନଜୀବୀ କିମ୍ବା ମାମଲାର ପକ୍ଷଭୁକ୍ତ ବ୍ୟକ୍ତିଙ୍କୁ ଅଦାଲତରେ ହାଜର ହେବା ପାଇଁ ଆନ୍ଦୋଳନ ସମୟରେ ବାଧା ଦିଆଯାଇ ନ ଥିଲା ବୋଲି ଶୁଣାଣି ସମୟରେ ଅଦାଲତଙ୍କୁ ଆସୋସିଏଶନ ସଭାପତି ଓ ସମ୍ପାଦକ କହିଥିଲେ। ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ହୋଇଥିଲା ବୋଲି ଶୁଣାଣି ସମୟରେ ହାଇକୋର୍ଟଙ୍କୁ ଅବଗତ କରାଯାଇଥିଲା। ତେବେ ଏହି ମାମଲାରେ ପକ୍ଷଭୁକ୍ତ ଅନ୍ୟ ୬୭ଟି ବାର୍‌ ଆସୋସିଏଶନ ସଭାପତି ଓ ସମ୍ପାଦକ ଆସନ୍ତା ୨୯ରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ଆଦେଶ ଦେଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏକାଧିକ ଦାବି ନେଇ ଓଡ଼ିଶା ହାଇକୋର୍ଟ ବାର୍‌ ଆସୋସିଏଶନ ପକ୍ଷରୁ ପ୍ରଥମେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଦାଲତ ବର୍ଜନ କରାଯାଇଥିଲା। ପରେ ଅର୍ଥାତ୍‌ ଗତ ଅକ୍ଟୋବର ୧୪ରେ ବାର୍‌ ଆସୋସିଏଶନ ପକ୍ଷରୁ ହାଇକୋର୍ଟଙ୍କ ସମସ୍ତ ଅଦାଲତକୁ ବର୍ଜନ କରାଯାଇଥିଲା। ଏ ନେଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର୍‌ ଜେନେରାଲ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ। ଅକ୍ଟୋବର ୧୫ରେ ପ୍ରଥମ ଥର ହାଇକୋର୍ଟଙ୍କ ଫୁଲ୍‌ ବେଞ୍ଚ ଏହି ମାମଲାର ଶୁଣାଣି କରି ୧୩୬ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଥିଲେ।

Share