Categories: ଜାତୀୟ

ଆଇନଶୃଙ୍ଖଳା ଦାୟିତ୍ୱ ନେଇପାରିବନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୧୧ା୭(ପି.ଟି.): ମଣିପୁରରେ ଉତ୍ତେଜନା ବଢ଼ାଇବା ପାଇଁ ସର୍ବୋଚ୍ଚ ଅଦାଲତଙ୍କୁ ପ୍ଲାଟ୍‌ଫର୍ମ ଭାବେ ବ୍ୟବହାର କରାଯାଇ ପାରିବ ନାହଁି ବୋଲି ସୁପ୍ରିମକୋର୍ଟ ସୋମବାର କହିଛନ୍ତି। ହିଂସା କମାଇବା ପାଇଁ ଅଦାଲତ ଆଇନ ଶୃଙ୍ଖଳା ଦାୟିତ୍ୱ ନିଜ ହାତକୁ ନେଇପାରିବେ ନାହିଁ ବୋଲି ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏବଂ ଜଷ୍ଟିସ ପି.ଏସ୍‌. ନରସିଂଙ୍କ ଖଣ୍ଡପୀଠ କହିଛନ୍ତି। ଅଦାଲତ କେବଳ ସ୍ଥିତିରେ ସୁଧାର ଆଣିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇପାରିବେ। ଏଥିପାଇଁ ବିଭିନ୍ନ ଗ୍ରୁପ୍‌ର ସହାୟତା ଏବଂ ସକାରାତ୍ମକ ପ୍ରସ୍ତାବ ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି। ପରିସ୍ଥିତିରେ ସୁଧାର ଆଣିବା ଲାଗି ମଙ୍ଗଳବାର ସୁଦ୍ଧା ଆମକୁ କେତେକ ସକାରାତ୍ମକ ପ୍ରସ୍ତାବ ଦିଅ। ଏ ସମ୍ପର୍କରେ ଆମେ କେନ୍ଦ୍ର ଓ ମଣିପୁର ସରକାରଙ୍କୁ ଜଣାଇବୁ ବୋଲି ସର୍ବୋଚ୍ଚ ଅଦାଲତ ରାଜ୍ୟର ବିଭିନ୍ନ ସଂଗଠନକୁ କହିଛନ୍ତି। ହିଂସା ପ୍ରଭାବିତ ମଣିପୁର ସ୍ଥିତିକୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଦାଖଲ କରିଥିବା ଷ୍ଟାଟସ ରିପୋର୍ଟକୁ ଖଣ୍ଡପୀଠ ଅନୁଧ୍ୟାନ କରିଥିଲେ।

Share