ଆଇନ୍‌ଜୀବୀ ଦୀପାଳି ଆତ୍ମହତ୍ୟା ଘଟଣା: ଝାରପଡ଼ା ଜେଲରେ ବିକ୍ରମଙ୍କୁ ୨ ଘଣ୍ଟା ଜେରା

ଭୁବନେଶ୍ୱର,୨୭ା୨ (ବ୍ୟୁରୋ): ଆଇନଜୀବୀ ଦୀପାଳି ଜେନା ଆତ୍ମହତ୍ୟା ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଅଛନ୍ତି ଅଭିଯୁକ୍ତ ପୁରୁଷବନ୍ଧୁ ବିକ୍ରମ ଜେନା। ବୁଧବାର କମିଶନରେଟ ପୋଲିସର ଏକ ସ୍ବତନ୍ତ୍ର ଟିମ୍‌ ତାଙ୍କୁ ଜେଲ୍‌ ଭିତରେ ୨ ଘଣ୍ଟା ଧରି ମାରାଥନ ଜେରା କରିଛି। ଜେରାବେଳେ ପୋଲିସ କିଛି ନୂଆ ତଥ୍ୟ ପାଇଥିବା ଜଣାପଡିଛି।
ମିଳିଥିବା ସୂଚନାନୁସାରେ ଜେରାବେଳେ ବିକ୍ରମର କେତେକ କଥା ପୋଲିସକୁ ଆଶ୍ଚର୍ଯ୍ୟ କରିଥିଲା। ସେ କହିଥିଲେ, ମୁଁ ଯଦି ଚାହିଁଥାନ୍ତି ତା’ହେଲେ ଦୀପାଳିଙ୍କୁ ବଞ୍ଚାଇ ଦେଇ ପାରିଥାନ୍ତି ା ଡିସେମ୍ବର ୪ ତାରିଖ ଦିନ ତମାମ୍‌ ଦୀପାଳିଙ୍କ ପାଖକୁ କିଏ ଫୋନ୍‌ କରିଥିଲେ। ମୁଁ ତାଙ୍କୁ ବାରମ୍ବାର ପଚାରିଥିଲେ ମଧ୍ୟ ସେ ଫୋନ୍‌ ଦେଖାଇ ନ ଥିଲେ କି କିଏ ଫୋନ୍‌ କରିଥିଲେ କହି ନ ଥିଲେ। ଫଳରେ ଏହାକୁ ନେଇ ମୁଁ ରାଗିଯାଇଥିଲି। ଆମ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ସେଠାରୁ ମୁଁ ପଳାଇ ଆସିଥିଲି। ରାତିରେ ମୁଁ ପୁଣି ଦୀପାଳିଙ୍କ ରୁମ୍‌କୁ ଯାଇ କିଏ ଫୋନ୍‌ କରିଥିଲେ ଯାଞ୍ଚ ସହ ପଚରାଉଚରା କରିଥିଲି। ତଥାପି ସେ କହି ନ ଥିଲେ ା ଫଳରେ ଆମ ମଧ୍ୟରେ ପୁଣି ବିବାଦ ଓ ଝଗଡା ହୋଇଥିଲା। ମୁଁ ରାଗରେ ଭୁବନେଶ୍ୱରରୁ କଟକ ଘରକୁ ପଳାଇ ଆସିଥିଲି। ମୁଁ ସେଠାରୁ ଚାଲି ଆସିବା ପରେ ଦୀପାଳି ସେହି ରୁମ୍‌ରେ ଆତ୍ମହତ୍ୟା କରିଦେଇଥିଲେ। ତେବେ ବିକ୍ରମଙ୍କ ବୟାନକୁ ନେଇ ଏବେ ପୋଲିସ ଅଧିକାରୀମାନେ ନୂଆ ସୁରାକ ପାଇଛନ୍ତି। ତୃତୀୟ ବ୍ୟକ୍ତି ଜଣକ କିଏ? ଦୀପାଳି କାହିଁକି ତାଙ୍କ ସମ୍ପର୍କରେ ବିକ୍ରମଙ୍କୁ କିଛି କହୁ ନ ଥିଲେ? ବିକ୍ରମ ହତ୍ୟା କରି ଏପରି ଆତ୍ମହତ୍ୟା ରୂପ ଦେବାକୁ ନାଟକ ରଚିଛନ୍ତି ନା ସେ ସେଠାରୁ ଚାଲିଆସିବା ପରେ ଦୀପାଳିଙ୍କ କ୍ଷେତ୍ରରେ ଆଉକିଛି ଘଟଣା ଘଟିଥିଲା ତାହାକୁ ନେଇ ପୋଲିସ ଖୋଳତାଡ଼ ଆରମ୍ଭ କରିଛି। ଏପରିସ୍ଥିତିରେ ଆସନ୍ତା ୮ରୁ ୧୦ ଭିତରେ କମିଶନରେଟ୍‌ ପୋଲିସ ଏହି ମାମଲାରେ କୋର୍ଟରେ ଚାର୍ଜଶିଟ୍‌ ଦାଖଲ କରିବ ବୋଲି ଜଣାପଡିଛି ା
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୦ରେ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀସ୍ଥିତ ଏକ ଭଡ଼ା ଘରୁ ଦୀପାଳିଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଥିଲା।

Share