Categories: ଖେଳ

ଆଇପିଏଲ୍‌ କ୍ୟାମ୍ପ ସ୍ଥଗିତ

ନୂଆଦିଲ୍ଲୀ, ୧୬ା୩ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୮ଫ୍ରାଞ୍ଚାଇଜ୍‌ ସେମାନଙ୍କ ପ୍ରି-ଟୁର୍ନାମେଣ୍ଟ କ୍ୟାମ୍ପକୁ ବାତିଲ କରିଛନ୍ତି। କରୋନା ଭାଇରସ୍‌ ଆଶଙ୍କା ଲାଗି ବ୍ୟୟବହୁଳ ଇଭେଣ୍ଟକୁ ମାର୍ଚ୍ଚ ୨୯ରୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯିବାର ୩ ଦିନ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଟ୍ରେନିଂ କ୍ୟାମ୍ପ ପୁଣି କେବେଠାରୁ ହେବ ତାହା ପରେ ଖେଳାଳିମାନଙ୍କୁ ଜଣାଇ ଦିଆଯିବ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସୋମବାର ସେମାନଙ୍କ କ୍ୟାମ୍ପ ସ୍ଥଗିତ ଘୋଷଣା କରିଛନ୍ତି। ଏହା ମାର୍ଚ୍ଚ ୨୧ରୁ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିଲା। ୩ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ, ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ ରାଇଡର୍ସ ଇତିମଧ୍ୟରେ ସେମାନଙ୍କ କ୍ୟାମ୍ପ ବାତିଲ କରିସାରିଛନ୍ତି। କରୋନା ଭାଇରସ ଆତଙ୍କ ଯୋଗୁ ସରକାରଙ୍କ ଦ୍ୱାରା ଯାତାୟତରେ କଟକଣା ଜାରି କରିବା ସହ ତିନୋଟି ରାଜ୍ୟ ବର୍ତ୍ତମାନ ପରିସ୍ଥିତିରେ ଆଇପିଏଲ୍‌ ଆୟୋଜନ କରିବା ଲାଗି ରାଜି ନ ହେବାରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଶୁକ୍ରବାର ଆଇପିଏଲ୍‌କୁ ସସ୍‌ପେଣ୍ଡ କରିଥିଲା। ଭାରତରେ ଇତିମଧ୍ୟରେ ୧୧୪ଜଣ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇ ସାରିଥିବାବେଳେ ଦୁଇଜଣଙ୍କର ମୃତ୍ୟୁ ଘଟିସାରିଲାଣି। ମହେନ୍ଦ୍ର ସିଂ ଧୋନୀ ସହର ଛାଡ଼ି ଚାଲିଯିବା ପରେ ୩ଥର ବିଜେତା ଚେନାଇ ସୁପର କିଙ୍ଗ୍ସ ଶନିବାର ଏହାର କ୍ୟାମ୍ପକୁ ସସ୍‌ପେଣ୍ଡ କରିଛି। ପରିସ୍ଥିତିରେ ଯଦି ଉନ୍ନତି ଘଟେ ତେବେ ଏପ୍ରିଲ ୧୫ରେ ଆଇପିଏଲ ଆରମ୍ଭ ହେବ। ଯେଉଁ ରାଜ୍ୟଗୁଡ଼ିକ ମ୍ୟାଚ ଆୟୋଜନ ଲାଗି ରାଜି ହେଉ ନାହାନ୍ତି ସେମାନେ ସବୁଜ ସଂକେତ ଦେଇପାରନ୍ତି।

Share