Categories: ଖେଳ

ଆଇପିଏଲ୍‌ ଗଭର୍ନିଂ କାଉନସିଲ ବୈଠକ: ଖେଳାଳି ବଦଳ ନିୟମ ନେଇ ଆଲୋଚନା ହେବ

ନୂଆଦିଲ୍ଲୀ,୫।୧୧(ପି.ଟି.)- ମୁମ୍ବାଇରେ ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଗଭର୍ନିଂ କାଉନସିଲ ବୈଠକ ବୁଧବାର ବସିବାକୁ ଯାଉଛି। ଆଇପିଏଲକୁ ଅଧିକ ରୋମାଞ୍ଚକ କରିବା ପାଇଁ ଏକ ନୂଆ ନିୟମ ଲାଗୁ କରିବା ନେଇ ଏହି ବୈଠକରେ ଆଲୋଚନା ହେବ। ଖେଳାଳି ବଦଳ ନିୟମ ନେଇ ମଧ୍ୟ ଏଥିରେ ଆଲୋଚନା ହେବ। ତେବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ନବ ନିର୍ବାଚିତ ସଭାପତି ସୌରଭ ଗାଙ୍ଗୁଲି ଏ ନେଇ ଅନ୍ତିମ ନିଷ୍ପତ୍ତି ନେବେ।
ଏହି ନୂଆ ନିୟମକୁ ‘ପାଓ୍ବାର ପ୍ଲେୟାର’ କନ୍‌ସେପ୍ଟ ବୋଲି କୁହାଯାଉଛି। ଏହି କନ୍‌ସେପ୍ଟ ଅନୁସାରେ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବା ଖେଳାଳି କୌଣସି ଉଇକେଟ ପତନ ପରେ ବ୍ୟାଟିଂ କରିବାକୁ ଆସିପାରିବେ। ସେହିପରି କୌଣସି ଓଭର ଶେଷ ହେବାପରେ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବା ଖେଳାଳି ବୋଲିଂ କରିବାକୁ ପଡିଆକୁ ଆସିପାରିବେ। ମ୍ୟାଚ୍‌ର ଯେକୌଣସି ମୁହୂର୍ତ୍ତରେ ଦଳଗୁଡିକୁ ଏଭଳି ଖେଳାଳି ବଦଳ କରିବାର ଅଧିକାର ମିଳିବ। ଏ ସଂକ୍ରାନ୍ତରେ ଗାଙ୍ଗୁଲି ଅନ୍ତିମ ନିଷ୍ପତ୍ତି ନେବେ। ତେବେ ଏହା ପୂର୍ବରୁ ବିଭିନ୍ନ ଦୃଷ୍ଟିକୋଣକୁ ଆଖିଆଗରେ ରଖି ବିଚାର କରାଯିବ। ଗଭର୍ନିଂ କାଉନସିଲ ବୈଠକରେ ଗାଙ୍ଗୁଲି ଏ ନେଇ ଅଧ୍ୟକ୍ଷ ବ୍ରିଜେଶ ପଟେଲ ଓ ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କରିବେ। ଏ ନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଏଭଳି ଆକସ୍ମିକ ଖେଳାଳି ବଦଳ ନିୟମ ମ୍ୟାଚ୍‌ ଫିକ୍ସର ଓ ବୁକିମାନଙ୍କୁ ସମସ୍ୟାରେ ପକାଇବ ବୋଲି କୁହାଯାଉଛି।
ଯଦି ଏହି ନିୟମ ଲାଗୁ ହୁଏ ତେବେ ଆଗାମୀ ୨୦୨୦ ଆଇପିଏଲ୍‌ ସଂସ୍କରଣରେ ପ୍ରତ୍ୟେକ ମ୍ୟାଚ୍‌ ଆରମ୍ଭ ସମୟରେ ଦଳଗୁଡିକ ୧୧ ଜଣ ଖେଳାଳିଙ୍କ ବଦଳରେ ୧୫ଜଣଙ୍କୁ ଦଳରେ ସାମିଲ କରିବ। ଅର୍ଥାତ ଆବଶ୍ୟକ ପଡିଲେ ଅନ୍ତିମ ଏକାଦଶରେ ସାମିଲ ହୋଇ ନ ଥିବା ଜଣେ ଖେଳାଳି ଆବଶ୍ୟକ ସ୍ଥଳେ ବୋଲିଂ କିମ୍ବା ବ୍ୟାଟିଂ କରିବାର ସୁଯୋଗ ପାଇବ। ଉଦାହରଣ ସ୍ବରୂପ ଶେଷ ଓଭର ବା ଅନ୍ତିମ ୬ ବଲ୍‌ରେ ବିଜୟ ପାଇଁ ୨୦ ରନ ଆବଶ୍ୟକ ହେଉଥିବା ବେଳେ ଯଦି ଏକ ଦଳର ଡଗ୍‌ ଆଉଟ୍‌ରେ ଆନ୍ଦ୍ରେ ରସେଲ ବସିଥିବେ ଓ ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବେ ତେବେ ଏହି ନିୟମ ଦ୍ୱାରା ସେ ବ୍ୟାଟିଂ କରିବାର ସୁଯୋଗ ପାଇବେ। ସେହିପରି ଅନ୍ତିମ ଓଭରରେ ଗୋଟିଏ ଦଳ ୬ ରନକୁ ଡିଫେଣ୍ଡ କରିବାର ପରିସ୍ଥିତି ସୃଷ୍ଟି ହେଉଥିବ। ଯଶପ୍ରୀତ ବୁମ୍‌ରା ଅନ୍ତିମ ଏକାଦଶରେ ସ୍ଥାନ ପାଇ ନ ଥିବେ ଓ ସେ ଡଗ୍‌ ଆଉଟ୍‌ରେ ବସିଥିବେ। ଏପରି ସ୍ଥଳେ ସେ ଅନ୍ତିମ ଓଭର ବୋଲିଂ କରିବାର ସୁଯୋଗ ପାଇବେ। ଏହା ଦ୍ୱାରା ମ୍ୟାଚ୍‌ ଅଧିକ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି। ଖୁବ୍‌ଶୀଘ୍ର ଏ ସଂକ୍ରାନ୍ତରେ ଅନ୍ତିମ ନିଷ୍ପତ୍ତି ନିଆଯିବ।

Share