Categories: ଖେଳ

ଆଇପିଏଲ୍‌ ମ୍ୟାଚ୍‌ ସଂଖ୍ୟା ହ୍ରାସ ହେବ

ମୁମ୍ବାଇ,୧୫।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ନେଇ ଶନିବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଓ ୮ଟି ଦଳ ତଥା ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। କରୋନା ଭାଇରସ ଆତଙ୍କ କାରଣରୁ ଆଇପିଏଲ୍‌କୁ ସ୍ଥଗିତ ରଖାଯାଇଛି। ଟୁର୍ନାମେଣ୍ଟ ଆୟୋଜନ ନେଇ ଏହି ବୈଠକରେ କିଛି ଅନ୍ତିମ ନିଷ୍ପତ୍ତି ନିଆଯାଇପାରି ନାହିଁ। ତେବେ ଏଥର ଆଇପିଏଲ୍‌ ମ୍ୟାଚ୍‌ ସଂଖ୍ୟ ହ୍ରାସ କରାଯିବା ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା। ତେବେ ଟୁର୍ନାମେଣ୍ଟ କେବେ ଆରମ୍ଭ ହେବ ତାହା କେହି କହିପାରିବେ ନାହିଁ ବୋଲି କିଙ୍ଗ୍ସ ଏକାଦଶ ପଞ୍ଜାବ ମାଲିକ ନେସ୍‌ ଓ୍ବାଡିଆ କହିଛନ୍ତି।
ଆଇପିଏଲ ୨୯ ତାରିଖରୁ ଏପ୍ରିଲ ୧୫ ତାରିଖକୁ ଘୁଞ୍ଚାଇବା ପାଇଁ ଶୁକବ୍ରାର ବିସିସିଆଇ ନିଷ୍ପତ୍ତି ନେଇଥିଲା। ସରକାର ଜାରି କରିଥିବା ଟ୍ରାଭେଲ ରେଷ୍ଟ୍ରିକ୍‌ଶନ ଓ ୩ଟି ରାଜ୍ୟ ମ୍ୟାଚ ଆୟୋଜନ କରିବାକୁ ମନା କରିଦେବା ପରେ ବୋର୍ଡ ଏହି ନିଷ୍ପତ୍ତି ନେଇଥିଲା। ଆଇପିଏଲ ଆରମ୍ଭ କେବେ ହେବ ତାହା ଏବେ କହିବା ମୁସ୍କିଲ ବୋଲି ଓ୍ବାଡିଆ କହିଛନ୍ତି। ୨ରୁ ୩ ସପ୍ତାହ ପରେ ପରିସ୍ଥିତି ଅନୁଧ୍ୟାନ କରିବୁ। ସେତେବେଳକୁ ଅବଶ୍ୟ କିଛି ସମ୍ଭାବନା ସୃଷ୍ଟି ହୋଇଥିବ ବୋଲି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହାଙ୍କ ବୈଠକରେ ବସିବା ପରେ ଓ୍ବାଡିଆ ଏହି କଥା କହିଛନ୍ତି।
ଏହି ବୈଠକରେ ୬ରୁ ୭ଟି ବିକଳ୍ପ ନେଇ ଆଲୋଚନା ହୋଇଥିଲା। ଟୁର୍ନାମେଣ୍ଟରେ ମ୍ୟାଚ୍‌ ସଂଖ୍ୟା ହ୍ରାସ କରାଯିବା ମଧ୍ୟ ଏହି ବିକଳ୍ପରେ ସାମିଲ ଥିଲା। ବର୍ତ୍ତମାନ ପରିସ୍ଥିତିରେ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ଭାରତରେ ଏବେ ୮୦ ଜଣ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେଲେଣି।
୮ଟି ଦଳକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇ ମ୍ୟାଚ୍‌ ଖେଳାଯିବା ଯିବା ସହ ଶ୍ରେଷ୍ଠ ୪ଟି ଦଳ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ନେଇ ଆଲୋଚନା ହୋଇଥିଲା। ପୁଣି ମ୍ୟାଚ୍‌ଗୁଡିକୁ ମାତ୍ର କେତୋଟି ଭେନ୍ୟୁରେ ସୀମିତ ରଖାଯିବ ଓ ଖେଳାଳି, ସପୋର୍ଟ ଷ୍ଟାଫ୍‌ ଓ ଟିଭି କ୍ରିୟୁଙ୍କ ଯିବାଆସିବା ଉପରେ କଟକଣା ଲଗାଯିବା ଉପରେ ମଧ୍ୟ ଆଲୋଚନ ହୋଇଥିଲା। ପୁଣି ରୁଦ୍ଧ ଦ୍ୱାରରେ ସବୁ ୬୦ଟି ମ୍ୟାଚ୍‌ ଖେଳାଯିବା ଉପରେ ମଧ୍ୟ କେତେକ ମତ ଦେଇଥିଲେ। ଏହା ଦ୍ୱାରା କେହି କ୍ଷତିଗ୍ରସ୍ତ ହେବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ବିଦେଶରେ ଆଇପିଏଲ୍‌ ଆୟୋଜନ ନେଇ ବୈଠକରେ କଥା ଉଠି ନ ଥିଲା।
ବିସିସିଆଇ, ଆଇପିଏଲ ଓ ଅଫିସିଆଲ ବ୍ରଡ କାଷ୍ଟର ଷ୍ଟାର ସ୍ପୋଟର୍‌ସ କେହି କ୍ଷତି ସହିବାକୁ ଚାହୁଁ ନ ଥିବା କଥା ଓ୍ବାଡିଆ କହିଛନ୍ତି। ମଣିଷ ଆଗ ଓ ଆର୍ଥିକ କ୍ଷତି ପଛ ବୋଲି ବୈଠକରେ ସମସ୍ତେ ସ୍ବୀକାର କରିଥିଲେ। ଏବେ ଓ୍ବେଟ୍‌ ଆଣ୍ଡ ଓ୍ବାଚ୍‌ ବା କାଳକ୍ଷେପଣ ନୀତି ଅବଲମ୍ବନ କରିବାକୁ ହେବ ବୋଲି ଓ୍ବାଡିଆ କହିଛନ୍ତି। ଏବେ କିଛି କହିବା ଅସମ୍ଭବ। ସମୟ ଅନୁସାରେ ପରିସ୍ଥିତିରେ ଉନ୍ନତି ଘଟିଲେ ଯାହା କିଛି ସମ୍ଭବ। ଏପ୍ରିଲ ୧୫ ପର୍ଯ୍ୟନ୍ତ ବିଦେଶୀ ଖେଳାଳିଙ୍କ ଅଂଶଗ୍ରହଣ ନେଇ କିଛି କହି ହେବ ନାହିଁ ବୋଲି ସେ କହିଛନ୍ତି। ସ୍ଥିତି ନିୟନ୍ତ୍ରଣକୁ ଆସିଲେ ବିଭିନ୍ନ ବିକଳ୍ପ ଉପରେ ପୁଣି ଆଲୋଚନା ହେବ ବୋଲି କୁହାଯାଇଛି।

Share