ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍ ୮ଟାରେ ଆରମ୍ଭ ହେବ। ସୋମବାର ଅନୁଷ୍ଠିତ ହୋଇଥିବା ଆଇପିଏଲ୍ ଗଭର୍ନିଂ କାଉନସିଲ୍ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କେତେକ ଷ୍ଟକ୍ହୋଲ୍ଡର ରାତି ମ୍ୟାଚ୍କୁ ୮ଟା ପରିବର୍ତ୍ତେି ୭ଟା ୩୦ରେ ଆରମ୍ଭ କରିବାକୁ ଚାପ ପକାଇ ଆସୁଥିଲେ। କିନ୍ତୁ ପୂର୍ବବର୍ଷ ଭଳି ଏହା ୮ଟାରେ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏହି ବୈଠକ ଅବସରରେ କହିଥିଲେ। ଆଇପିଏଲ୍ର ଆଗାମୀ ସଂସ୍କରଣରେ ୫ ଦିନ ୨ଟି ଲେଖାଏ ମ୍ୟାଚ୍ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ସେହିଭଳି ଆଇପିଏଲ୍ ପୂର୍ବରୁ ଏକ ଚ୍ୟାରିଟେବୁଲ ମ୍ୟାଚ୍ ଆୟୋଜନ ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଏହି ଅଲ୍ ଷ୍ଟାର୍ସ ଗେମ୍ସ ବିଶ୍ୱର ଶ୍ରେଷ୍ଠ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଅନୁଷ୍ଠିତ ହେବ। ଚଳିତ ବର୍ଷ ଆଇପିଏଲ୍ର ଫାଇନାଲ ମୁମ୍ବାଇରେ କରିବା ପାଇଁ ବିସିସିଆଇ ସଭାପତି ଗାଙ୍ଗୁଲି ଶେଷରେ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଫାଇନାଲକୁ ଅହମ୍ମଦାବାଦରେ ଆୟୋଜନ କରିବା ନେଇ ଆଲୋଚନା ହେଉଥିଲା।