Categories: ଖେଳ

ଆଇପିଏଲ ନିଲାମୀରେ ଶୁଭ୍ରାଂଶୁ

କଟକ ଅଫିସ,୧୪ା୧୨-
ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ହେବାକୁ ଥିବା ନିଲାମ ପ୍ରକ୍ରିୟାରେ ସାମିଲ ହେବେ ଜଣେ ଓଡ଼ିଆ ପ୍ରତିଭାବାନ ଖେଳାଳି। ଏହି ଖେଳାଳି ଜଣଙ୍କ ହେଲେ ରାଜ୍ୟ ରଣ୍‌ଜୀ ଦଳର ଅଧିନାୟକ ତଥା ଡାହାଣହାତୀ ଧୂଆଁଧାର ବ୍ୟାଟ୍ସମ୍ୟାନ ଶୁଭ୍ରାଂଶୁ ଶେଖର ସେନାପତି। ଶୁଭ୍ରାଂଶୁଙ୍କ ନାମ ଆଇପିଏଲ ନିଲାମୀର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛି। ୮ଟି ଦଳର ମାଲିକମାନଙ୍କ ଭିତରୁ କୌଣସି ଦଳ ଶୁଭ୍ରାଂଶୁଙ୍କ ପାଇଁ ଗ୍ରୀନ ସିଗ୍ନାଲ ଦେଖାଇଲେ, ସେ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲ ଖେଳିବାର ସୌଭାଗ୍ୟ ହାସଲ କରିବେ। ଶୁଭ୍ରାଂଶୁଙ୍କ ବେସ୍‌ ପ୍ରାଇସ୍‌ ରହିଛି ୨୦ଲକ୍ଷ ଟଙ୍କା।
ବିଶ୍ୱର ସବୁ ପେସାଦାର କ୍ରିକେଟ ଲିଗ୍‌ଗୁଡ଼ିକ ଭିତରେ ଆଇପିଏଲ ବେଶ୍‌ ଚର୍ଚ୍ଚିତ ଓ ପ୍ରତିଷ୍ଠିତ। ଭାରତର ଏହି ବିତ୍ତଶାଳୀ କ୍ରିକେଟ ଲିଗ୍‌ର ଖେଳାଳି ନିଲାମୀ ପ୍ରକ୍ରିୟା ଆସନ୍ତା ୧୯ରେ ଅନୁଷ୍ଠିତ ହେବ। ଭାରତୀୟ ଓ ବିଦେଶୀ ଖେଳାଳିମାନଙ୍କୁ ମିଶାଇ ମୋଟ୍‌ ୩୩୨ଟି ନାମ ଏହି ପ୍ରକ୍ରିୟାରେ ଉପସ୍ଥାପିତ କରାଯିବ। ତାଲିକାରେ ଶୁଭ୍ରାଂଶୁ ଏକମାତ୍ର ଓଡ଼ିଆ ଖେଳାଳିଭାବେ ସ୍ଥାନ ପାଇଛନ୍ତି। ଶୁଭ୍ରାଂଶୁଙ୍କ ପୂର୍ବରୁ ହଳଧର ଦାସ ଓ ବିପ୍ଳବ ସାମନ୍ତରାୟ ଆଇପିଏଲରେ ଦେଖିବାକୁ ମିଳିଛନ୍ତି। ରଣଜୀ ସଂସ୍କରଣ-୨୦୧୮ ଓ କିଛିଦିନ ତଳେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ଟୁର୍ନାମେଣ୍ଟରେ ଶୁଭ୍ରାଂଶୁଙ୍କ ପ୍ରଦର୍ଶନ ବେଶ୍‌ ପ୍ରଭାବଶାଳୀ ରହିଥିଲା। ଯାହାଫଳରେ ତାଙ୍କ ନାମକୁ ଆଇପିଏଲ କମିଟି ନିଲାମୀ ପ୍ରକ୍ରିୟାରେ ସାମିଲ କରିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ପକ୍ଷରୁ ୧୬ଟି ଟି-୨୦ ମ୍ୟାଚ୍‌ ଖେଳିଥିବା ଶୁଭ୍ରାଂଶୁ ୨୭.୧୫ ଆଭରେଜରେ ୩୫୩ ରନ କରିଛନ୍ତି। ଷ୍ଟ୍ରାଇକ ରେଟ୍‌ ୧୨୩.୮୫ ରହିଥିବା ବେଳେ ୫୧ରନ ହେଉଛି ଶୁଭ୍ରାଂଶୁଙ୍କ ଟି୨୦ ଫର୍ମାଟର ସର୍ବାଧିକ ସ୍କୋର। ନିଲାମୀ ପ୍ରକ୍ରିୟାରେ ନାମ ରହିଥିବାରୁ ଖୁସି ଲାଗୁଛି ବୋଲି ଶୁଭ୍ରାଂଶୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଆଇପିଏଲରେ ସୁଯୋଗ ମିଳିଲେ ଶ୍ରେଷ୍ଠ ପ୍ରଦର୍ଶନ କରିବି ବୋଲି ସେ କହିଥିଲେ।

Share