ଆଇପିଏଲ ପାଇଁ ଅଯୋଗ୍ୟ କେକେଆର ଖେଳାଳି ପ୍ରବୀଣ

କୋଲକାତା,୨୮।୨- ଗତବର୍ଷ ଡିସେମ୍ବରରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ୪୮ ବର୍ଷୀୟ ପବୀଣ ତାମ୍ବେଙ୍କୁ କିଣିଥିଲା। ତାଙ୍କୁ ଆଇପିଏଲର ୧୩ତମ ସଂସ୍କରଣ ପୂର୍ବରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି। ଏ ନେଇ ଆଇପିଏଲ ପରିଚାଳନା କମିଟି ମୁଖ୍ୟ ବ୍ରିଜେଶ ପଟେଲ ସ୍ପଷ୍ଟ କରିଛନ୍ତି। ତାମ୍ବେ ପୂର୍ବରୁ ଅବସର ଘୋଷଣା କରିଥିଲେ। କିନ୍ତୁ ପରେ ଅବସରରୁ ଫେରି ଆସି ମୁମ୍ବାଇ ଲିଗ୍‌ରେ ଖେଳିଥିଲେ। ମାତ୍ର କାହାକୁ କିଛି ନ ଜଣାଇ ଦୁବାଇରେ ଅନୁଷ୍ଠିତ ଟି୧୦ ଲିଗ୍‌ରେ ଅଂଶଗ୍ରହଣ କରିଥିଲେ। ବିସିସିଆଇଠୁ ଅନୁମତି ନେବାର ଥିଲା। ଏଣୁ ଆମେ ତାଙ୍କୁ ଆଇପିଏଲ ପାଇଁ ଅଯୋଗ୍ୟ ଘୋଷଣା କରିଛୁ। ଏ ସମ୍ପର୍କରେ କେକେଆର ଫ୍ରାଞ୍ଚାଇଜକୁ ମଧ୍ୟ ଜଣାଇ ଦିଆଯାଇଛି। ସେମାନଙ୍କୁ ବଦଳ ଖେଳାଳି ପାଇଁ ଆବେଦନ କରିବାକୁ ଅନୁମତି ଦିଆଯାଇଛି ବୋଲି ପଟେଲ ପ୍ରକାଶ କରିଛନ୍ତି। ଆଇପିଏଲ ଅକଶନରେ ବୟୋଜ୍ୟେଷ୍ଠ ଖେଳାଳି ଭାବେ ପ୍ରବୀଣ ବିକ୍ରି ହୋଇଥିଲେ। ତାଙ୍କୁ ଦୁଇ ଥର ଆଇପିଏଲ ଚାମ୍ପିୟନ କେକେଆର ୨୦ ଲକ୍ଷ ଟଙ୍କାରେ କିଣିଥିଲା। ସେ ୨୦୧୩ରୁ ୨୦୧୬ ମଧ୍ୟରେ ଆଇପିଏଲରେ ୩୩ ମ୍ୟାଚ୍‌ ଖେଳିଥିଲେ। ସେ ରାଜସ୍ଥାନ ରୟାଲ୍ସ, ଗୁଜରାଟ ଲାୟନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ଭଳି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ।

Share