ଆଇପିଏଲ ପୂର୍ବରୁ ଚମକିଲେ ଯଶସ୍ବୀ

ମୁମ୍ବାଇ,୨୪ା୨- ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଜବରଦସ୍ତ ପ୍ରଦର୍ଶନ କରିବା ପରେ ଯଶସ୍ବୀ ଜୈସ୍ବାଲ ଭଲ ଫର୍ମ ଜାରି ରଖିଛନ୍ତି। ୨.୪ କୋଟି ଟଙ୍କାରେ ବିକ୍ରି ହୋଇଥିବା ଜସଶ୍ୱୀ ୧୯ ବର୍ଷରୁ କମ୍‌ ସି.କେ.ନାଇଡୁ ଟ୍ରଫିର କ୍ୱାର୍ଟର ଫାଇନାଲରେ ମାରାଥନ ଶତକୀୟ ଇନିଂସ ଖେଳିଛନ୍ତି। ଏଥିଯୋଗୁ ଓ୍ବାଙ୍ଖ୍‌ଡେ ଷ୍ଟାଡିୟମରେ ପୁଡୁଚେରୀ ବିପକ୍ଷ ମ୍ୟାଚ୍‌ରେ ମୁମ୍ବାଇ ବଡ଼ ସ୍କୋର ଛିଡ଼ା କରିଛି। ଜୁନିୟର ବିଶ୍ୱକପ୍‌ ଇଭେଣ୍ଟରେ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପାଇବା ପରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା ଜଶସ୍ବୀ ଅଳ୍ପକେ ଦ୍ୱିଶତକରୁ ବଞ୍ଚତ୍ତ ହୋଇଛନ୍ତି। ସେ ୨୪୩ ବଲର ସମ୍ମୁଖୀନ ହୋଇ ୧୮୫ (୧୯ ଚୌକା ଓ ଗୋଟିଏ ଛକା) ରନ୍‌ କରିଥିଲେ। ଅଧିନାୟକ ହାର୍ଦ୍ଦିକ ତାମୋର ୮୬ ଓ ସର୍ଫାଜ ଖାଁ (୬୦)ଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ମୁମ୍ବାଇ ପ୍ରଥମ ଇନିଂସରେ ୨୪୦ ରନ୍‌ର ଅଗ୍ରଣୀ ହାସଲ କରିଛି। ମୁଁ ମୁମ୍ବାଇ ପାଇଁ ଖେଳୁଛି। ଭଲ ପ୍ରଦର୍ଶନ କରିବା ପାଇଁ ମୁଁ ଉତ୍ସାହିତ ଅଛି। ଶତକ କରିଥିବାରୁ ମୁଁ ବହୁତ ଖୁସି। ମ୍ୟାଚ୍‌ ପୂର୍ବରୁ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ମିଲିନ୍ଦ ରେଗେ ଓ ସଞ୍ଜୟ ପାଟିଲ କଥା ହୋଇଥିଲେ ବୋଲି ଜଶସ୍ବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଜସଶ୍ୱୀ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଏକ ଶତକ ସହ ୪ ଅର୍ଦ୍ଧଶତକ ହାସଲ କରିଥିଲେ। ତାଙ୍କୁ ରାଜସ୍ଥାନ ରୟାଲ୍ସ କିଣିଛି।

Share