Categories: ଖେଳ

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ନୀତୀନ ଏକମାତ୍ର ଭାରତୀୟ ଅମ୍ପାୟର

ଦୁବାଇ, ୧୨।୨ (ପି.ଟି.):  ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ର ଆଗାମୀ ୭ମ ସଂସ୍କରଣ ଚଳିତ ମାସ ୨୧ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବ। ଆୟୋଜକ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ଲାଗି ବୁଧବାର ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମ୍ୟାଚ୍‌ ପରିଚାଳନା ଲାଗି ଅମ୍ପାୟର ତାଲିକା ପ୍ରକାଶ ପାଇଛି। ଏକମାତ୍ର ଭାରତୀୟ ଭାବେ ନୀତୀନ ମେମୋନ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେହିଭଳି ଆଶ୍ଚର୍ଯ୍ୟଜନକ ଭାବେ ୬ ଜଣ ମହିଳାଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନେ ହେଲେ ଲୌରେନ ଆଗେନବାଗ୍‌, କିମ୍‌ କଟ୍ଟନ, କ୍ଲେୟାର ପୋଲୋସାକ, ସୁଏ ରେଡ୍‌ଫେର୍ନ ଓ ଜ୍ୟାକ୍‌ଲିନ ଓ୍ବିଲିୟମ୍ସ। ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ହାଇଫ୍ରୋଫାଇଲ ଉଦ୍‌ଘାଟନୀ ମୁକାବିଲାରେ ଶନ୍‌ ଜର୍ଜଙ୍କ ସହ ଜ୍ୟାକ୍‌ଲିନ୍‌ ଫିଲ୍ଡ ଅମ୍ପାୟର ଦାୟିତ୍ୱ ତୁଲାଇବେ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ସେହିଭଳି ଫେବୃୟାରୀ ୨୨ରେ ପୂର୍ବତନ ଚାମ୍ପିୟନ ଓ୍ବେଷ୍ଟଇଣ୍ଡିଜ ଓ ନବାଗତ ଥାଇଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍‌ରେ ମେନନ୍‌ଙ୍କ ସହ ପୋଲୋସାକ୍‌ ଅମ୍ପାୟର ଭୂମିକାରେ ଅବତୀର୍ଣ୍ଣ ହେବେ। ପୂର୍ବରୁ ପ୍ରଥମ ମହିଳା ଭାବେ ଭାରତର ଜି.ଏସ୍‌. ଲକ୍ଷ୍ମୀଙ୍କୁ ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତା ଲାଗି ରେଫରି ମନୋନୀତ କରାଯାଇଥିଲା। ଏମିରେଟ୍ସ ଆଇସିସି ଏଲିଟ୍‌ ପ୍ୟାନେଲ୍‌ର ମ୍ୟାଚ୍‌ ରେଫରି କ୍ରିସ୍‌ ବ୍ରଡ୍‌ ସବୁଠୁ ସିନିୟର ଭାବେ ରେଫରି ତାଲିକାରେ ରହିଛନ୍ତି। ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ ପରିଚାଳନା ଲାଗି ରେଫରି ଓ ଅମ୍ପାୟର ନାମ ପରେ ଘୋଷଣା କରାଯିବ।

Share