Categories: ଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: କୋହଲି, ଧାଓ୍ବନ ଟପ୍‌-୧୦ ନିକଟତର

ଦୁବାଇ,୨୬।୯(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗରେ ଭାରତୀୟ ତାରକା ଓପନର ରୋହିତ ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବ୍ୟାଟିଂ ତାଲିକାର ଅଷ୍ଟମ ସ୍ଥାନରେ ରହିଛନ୍ତି। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଟପ୍‌-୧୦ର ନିକଟତର ହୋଇଛନ୍ତି। ଭାରତ- ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ୧-୧ରେ ଅମୀମାଂସିତ ରହିଥିଲା। ଦ୍ୱିତୀୟ ଟି୨୦ରେ କୋହଲି ଅପରାଜିତ ୭୨ ରନ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏଥିସହ ଗୋଟିଏ ସ୍ଥାନ ଉପରକୁ ଉଠି କୋହଲି ୧୧ତମ ସ୍ଥାନରେ ପହଞ୍ଚିଛନ୍ତି। ଧାଓ୍ବନ ୩ଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ପହଞ୍ଚିଛନ୍ତି। ଧାଓ୍ବନ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ ଯଥାକ୍ରମେ ୪୦ ଓ ୩୬ ରନ ସଂଗ୍ରହ କରିଥିଲେ। ରୋହିତ ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କ ସହିତ ମିଳିତ ଭାବେ ଅଷ୍ଟମ ସ୍ଥାନରେ ରହିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ ୬୬୪ ପଏଣ୍ଟ ହାସଲ କରିଛନ୍ତି।
ବୋଲିଂ ତାଲିକାରେ ଓ୍ବାଶିଂଟନ ସୁନ୍ଦର ୮ଟି ସ୍ଥାନ ଉପରକୁ ଉଠି ୫୦ତମ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ବିବେଚିତ ହୋଇଛନ୍ତି। ଭାରତ- ଦକ୍ଷିଣ ଆଫ୍ରିକା ସିରିଜ ସହିତ ବାଂଲାଦେଶ, ଆଫଗାନିସ୍ତାନ ଓ ଜିମ୍ବାଓ୍ବେକୁ ନେଇ ଓ ଆୟର୍ଲାଣ୍ଡ, ସ୍କଟଲାଣ୍ଡ ଓ ନେଦରଲାଣ୍ଡକୁ ନେଇ ଖେଳାଯାଇଥିବା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜକୁ ଦୃଷ୍ଟିରେ ରଖି ଏହି ର଼୍ୟାଙ୍କିଙ୍ଗ୍‌ ବୁଧବାର ପ୍ରକାଶିତ ହୋଇଛି। ଆଫଗାନିସ୍ତାନର ହଜରତୁଲ୍ଲା ଜଜାଇ ଓ ସ୍କଟଲାଣ୍ଡର ଜର୍ଜ ମୁନ୍‌ସେ ଉନ୍ନତି କରିଛନ୍ତି। ୭୨୭ ପଏଣ୍ଟ ପାଇ ଜଜାଇ ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ୬୦୦ ପଏଣ୍ଟ ପାଇ ମୁନ୍‌ସେ ୨୧ତମ ସ୍ଥାନରେ ରହିଛନ୍ତି।
ଅପରପକ୍ଷରେ ଦକ୍ଷିଣ ଆଫ୍ରିକା ଅଧିନାୟକ କ୍ୱିଣ୍ଟନ ଡିକକ୍‌ ୪୯ରୁ ୩୦ତମ ସ୍ଥାନକୁ ଉଠିଛନ୍ତି। ସେ ଦୁଇଟି ମ୍ୟାଚ୍‌ରେ ୫୨ ଓ ୭୯ ରନ ସଂଗ୍ରହ କରିଥିଲେ। ଦକ୍ଷିଣ ଆଫ୍ରିକା ସ୍ପିନର ତାବ୍ରେଜ ସାମସି ବୋଲିଂ ତାଲିକାର ଶ୍ରେଷ୍ଠ-୨୦ରେ ସ୍ଥାନ ପାଇଛନ୍ତି। ସେହିପରି ଆଣ୍ଡିଲ ଫେଲୁକ୍ୱାୟୋ କ୍ୟାରିୟର ଶ୍ରେଷ୍ଠ ସପ୍ତମ ସ୍ଥାନରେ ରହିଛନ୍ତି।
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଜିମ୍ବାଓ୍ବେ ଅଧିନାୟକ ହାମିଲଟନ ମାସାକାଡଜା ୨୨ତମ ସ୍ଥାନରେ ଶ୍ରେଷ୍ଠ ଜିମ୍ବାଓ୍ବେ କ୍ରିକେଟର ସାବ୍ୟସ୍ତ ହୋଇଛନ୍ତି। ଆଫଗାନିସ୍ତାନ ସ୍ପିନର ମୁଜିବ ଉର ରହମାନ ସିରିଜରେ ୭ ଉଇକେଟ ହାସଲ କରି ୧୦ମ ସ୍ଥାନକୁ ଉଠିଛନ୍ତି। ଦଳୀୟ ର଼୍ୟାଙ୍କିଙ୍ଗ୍‌ରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ପାକିସ୍ତାନ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଇଂଲଣ୍ଡ ଦ୍ୱିତୀୟ ଓ ଦକ୍ଷିଣ ଆଫ୍ରିକା ତୃତୀୟ ସ୍ଥାନରେ ରହିଛି।

Share