Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି ସ୍ଥିର, ରାହାନେ ଖସିଲେ

ଦୁବାଇ, ୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। କୋହଲି ୯୨୮ ପଏଣ୍ଟ ସହ ବ୍ୟାଟିଂ ତାଲିକାରେ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ଙ୍କ ଉପରେ ରହିଛନ୍ତି। କୋହଲିଙ୍କଠାରୁ ମାତ୍ର ୧୭ ପଏଣ୍ଟ କମ୍‌ ପାଇ ସ୍ମିଥ୍‌ (୯୧୧) ତାଲିକାର ୨ୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ତେବେ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେ (୭୫୯) ଗୋଟିଏ ସ୍ଥାନ ତଳକୁ ଖସି ୯ମ ସ୍ଥାନ ହାସଲ କରିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୭୯୧) ମଧ୍ୟ ପୂର୍ବଭଳି ୬ଷ୍ଠ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଅପରପକ୍ଷେ ଶୀର୍ଷ ଭାରତୀୟ ବୋଲର ଭାବେ ୟର୍କର ସ୍ପେଶାଲିଷ୍ଟ ଯଶ୍‌ପ୍ରୀତ୍‌ ବୁମ୍‌ରା ବୋଲିଂ ବିଭାଗରେ ୬ଷ୍ଠ ସ୍ଥାନ ଲାଭ କରିଛନ୍ତି। ସେ ୭୯୪ ପଏଣ୍ଟ ପାଇଛନ୍ତି। ସେହିଭଳି ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୮ମରେ ରହିଥିବାବେଳେ ମହମ୍ମଦ ସାମି ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ସେ ବୋଲିଂ ତାଲିକାର ୯ମ ସ୍ଥାନ ଲାଭ କରିଛନ୍ତି। ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ୯୦୪ ପଏଣ୍ଟ ସହ ବୋଲିଂ ବିଭାଗର ସର୍ବାଗ୍ରେ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ରବୀନ୍ଦ୍ର ଜାଡେଜା (୪୦୬ ପଏଣ୍ଟ) ୩ୟ ସ୍ଥାନରେ ଅପରିବର୍ତ୍ତିତ ରହିଛନ୍ତି। ଅଶ୍ୱିନ (୪ର୍ଥ) କିନ୍ତୁ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି। ଓ୍ବେଷ୍ଟଇଣ୍ଡିଜ୍‌ର ଜାସନ ହୋଲ୍ଡର ଏହି ତାଲିକାର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

Share