Categories: ଖେଳ

ଆଇସିସି ଟେଷ୍ଟ : ର଼୍ୟାଙ୍କିଙ୍ଗ୍‌ ସ୍ମିଥ୍‌ଙ୍କ ନିକଟତର ହେଲେ କୋହଲି

ଦୁବାଇ, ୧୪ା୧୦ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇଛି। ଏଥିରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟେଷ୍ଟ ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଥିବା ଷ୍ଟିଭ୍‌ ସ୍ମିଥ୍‌ଙ୍କଠାରୁ ମାତ୍ର ଏକ ପଏଣ୍ଟ ବ୍ୟବଧାନରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଅପରାଜିତ ୨୫୪ ରନ ଯୋଗୁ କୋଲିଙ୍କ ପଏଣ୍ଟ ସଂଖ୍ୟା ବୃଦ୍ଧି ପାଇଛି। ର଼୍ୟାଙ୍କିଙ୍ଗରେ ଓପନର ମୟଙ୍କ ଅଗ୍ରଓ୍ବାଲଙ୍କର ମଧ୍ୟ ଉନ୍ନତି ଘଟିଛି। ସେ ଶ୍ରେଷ୍ଠ ୨୦ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ତାଙ୍କ ୧୦୮ରନର ଇନିଂସ ପାଇଁ ତାଙ୍କର ୮ ସ୍ଥାନ ପଦୋନ୍ନତି ଘଟିଛି। ତାଲିକାରେ ତାଙ୍କୁ ୧୭ ତମ ସ୍ଥାନ ମିଳିଛି। ଟପ୍‌ ୧୦ରେ ସ୍ଥାନ ପାଇଥିବା ଅନ୍ୟ ଦୁଇଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟ ରାହାନେ ଯଥାକ୍ରମେ ଚତୁର୍ଥ ଓ ନବମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବୋଲରମାନଙ୍କ ତାଲିକାରେ ରବିଚନ୍ଦ୍ରନ ଅଶ୍ୱିନ ତିନୋଟି ସ୍ଥାନ ପଦୋନ୍ନତି ପାଇଛନ୍ତି। ସେ ୭ମ ସ୍ଥାନରେ ରହିଥିବାବେଳେ ଯଶପ୍ରୀତ୍‌ ବୁମ୍‌ରା ପୂର୍ବଭଳି ତୃତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡରମାନଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍‌ଡରଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ରାଞ୍ଚତ୍ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଖେଳାଯିବ। ଏଥିରେ ଭଲ ପ୍ରଦର୍ଶନ କରିପାରିଲେ କୋହଲି ଅଷ୍ଟ୍ରେଲିଆର ସ୍ମିଥ୍‌ଙ୍କ ହଟାଇ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିପାରିବେ।

Share