Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନକୁ ଫେରିଲେ କୋହଲି

ଦୁବାଇ, ୫।୧୨(ପି.ଟି.)- ସୁପରଷ୍ଟାର ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଭାରତୀୟ ଅଧିନାୟକ କୋହଲି ଅଷ୍ଟ୍ରେଲିଆ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କୁ ପଛରେ ପକାଇ ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟିଂ ତାଲିକାର ୧ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଗତ ସପ୍ତାହରେ କୋଲକାତାରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟରେ କୋହଲି ୧୩୬ ରନର ଶତକୀୟ ପାଳି ଖେଳି ୯୨୮ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପଟେ ଆଡିଲେଡ ଟେଷ୍ଟରେ ୩୬ ରନ କରିଥିବା ସ୍ମିଥ୍‌ ୯୨୩ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ପାକିସ୍ତାନ ବିପକ୍ଷ ଆଡିଲେଡ ଟେଷ୍ଟ ପୂର୍ବରୁ ତାଙ୍କ ନିକଟରେ ଥିଲା ୯୩୧ ପଏଣ୍ଟ। ଏଥିରେ ୮ ପଏଣ୍ଟର ଅବନତି ହୋଇଛି।
ଟେଷ୍ଟ ସ୍ପେଶାଲିଷ୍ଟ କୁହାଯାଉଥିବା ଚେତେଶ୍ୱର ପୂଜାରା ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି। ଅନ୍ୟପଟେ ଅଜିଙ୍କ୍ୟ ରାହାନେ ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ବୋଲରମାନଙ୍କ ମଧ୍ୟରେ ଯଶପ୍ରୀତ ବୁମ୍‌ରା ବୋଲିଂ ତାଲିକାର ପଞ୍ଚମ ସ୍ଥାନରେ ରହି ଶ୍ରେଷ୍ଠ ଭାରତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ସିନିୟର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ପୂର୍ବପରି ନବମ ସ୍ଥାନରେ ରହିଛନ୍ତି। ଦ୍ରୁତ ବୋଲର ମହମ୍ମଦ ସାମି ସାମି ଟପ୍‌-୧୦ରେ ପ୍ରବେଶ କରିଛନ୍ତି। ସାମି ଗୋଟିଏ ପାହାଚ ଉପରକୁ ଉଠି ୧୦ମ ସ୍ଥାନରେ ରହିଛନ୍ତି।
ଅଷ୍ଟ୍ରେଲିଆ ଅଭିଜ୍ଞ ଓପନର ଡେଭିଡ ଓ୍ବାର୍ନର ଆଡିଲେଡ ଟେଷ୍ଟରେ ଅପରାଜିତ ୩୩୫ ରନର ତ୍ରିଶତକୀୟ ପାଳି ଖେଳି ୧୨ଟି ସ୍ଥାନ ଉପରକୁ ଉଠି ପଞ୍ଚମ ସ୍ଥାନରେ ରହିଛନ୍ତି। ସେହିପରି ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସ୍କାନ ଶ୍ରେଷ୍ଠ ୧୦୦ରେ ସ୍ଥାନ ପାଇଛନ୍ତି। ସେ ବର୍ଷ ଆରମ୍ଭରେ ୧୧୦ତମ ସ୍ଥାନରେ ରହିଥିଲେ। ଆଡିଲେଡ ଟେଷ୍ଟରେ ୭ ଉଇକେଟ ହାସଲ କରିଥିବା ଅଷ୍ଟ୍ରେଲିଆ ତାରକା ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ୪ଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ବାବର ଆଜମ ଦୁଇଟି ସ୍ଥାନ ଉପରକୁ ଉଠି ୧୩ତମ ସ୍ଥାନରେ ରହିଛନ୍ତି। ସେହିପରି ବାମହାତୀ ଓପନର ଶାନ୍‌ ମାସୁଦ ୧୦ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୪୭ତମ ସ୍ଥାନରେ ରହିଛନ୍ତି।
ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ୨୨୬ ରନର ଦ୍ୱିଶତକୀୟ ପାଳି ଖେଳି ୧୧ରୁ ସପ୍ତମ ସ୍ଥାନକୁ ଉପରକୁ ଉଠି ଶ୍ରେଷ୍ଠ ୧୦୦କୁ ଫେରିଛନ୍ତି। ସେହପରି ରୋରି ବନର୍‌ସ ପ୍ରଥମଥର ପାଇଁ ଶ୍ରେଷ୍ଠ ୪୦ରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ ଟେଲର ଦୁଇଟି ସ୍ଥାନ ଉପରକୁ ଉଠି ୧୬ତମ ସ୍ଥାନରେ ରହିଛନ୍ତି। ସେହିପରି ଟିମ୍‌ ସୌଦି ଗୋଟିଏ ସ୍ଥାନ ଉପରକୁ ଉଠି ବୋଲିଂ ତାଲିକାର ୧୩ତମ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର ତୃତୀୟ ସ୍ଥାନରେ ରହିଛନ୍ତି। ଅଲରାଉଣ୍ଡର ତାଲିକାରେ ସେ ତାଙ୍କ ଶୀର୍ଷ ସ୍ଥାନକୁ ଆହୁରି ଦୃଢ଼ କରିଛନ୍ତି। ସେହିପରି ଅଫ୍‌ ସ୍ପିନର ରାଖିମ କର୍ନଓ୍ବାଲ ଟପ୍‌ ୫୦ରେ ସ୍ଥାନ ପାଇଛନ୍ତି। ଶମରା ବ୍ରୁକ୍ସ ୬୮ରୁ ଉଠି ୬୨ତମ ସ୍ଥାନ ଅଧିକାର କରିଛନ୍ତି।

Share