Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରହି ବର୍ଷ ଶେଷ କଲେ କୋହଲି

ଦୁବାଇ, ୨୪।୧୨ (ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ପ୍ରକାଶିତ ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶୀର୍ଷ ସ୍ଥାନରେ ଅପରିବର୍ତ୍ତିତ ରହି ଚଳିତ ବର୍ଷ ଶେଷ କରିଛନ୍ତି। କୋହଲିଙ୍କ ର଼୍ୟାଙ୍କିଙ୍ଗ୍‌ ପଏଣ୍ଟ ୯୨୮ ରହିଛି। ଅଷ୍ଟ୍ରେଲିଆର ଷ୍ଟିଭେନ୍‌ ସ୍ମିଥ୍‌ (୯୧୧)ଙ୍କଠାରୁ କୋହଲି ୧୭ ପଏଣ୍ଟ ଅଧିକ ପାଇଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ (୮୬୪) ତାଲିକାର ୩ୟ ସ୍ଥାନରେ ରହି ୨୦୧୯ ମସିହା ଶେଷ କରିଛନ୍ତି। ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୁଜାରା (୭୯୧) ପୂର୍ବବତ୍‌ ୪ର୍ଥ ସ୍ଥାନରେ ଅପରିବର୍ତ୍ତିତ ରହିଥିବାବେଳେ ଅଜିଙ୍କ୍ୟ ରାହାନେ (୭ମ)ଗୋଟିଏ ପାହାଚ ତଳକୁ ଖସିଛନ୍ତି। ପାକିସ୍ତାନର ବାବର ଆଜମଙ୍କୁ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ମିଳିଛି। କରାଚିରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୨ୟ ଟେଷ୍ଟରେ ବାବର ଉଭୟ ଇନିଂସରେ ଯଥାକ୍ରମେ ୬୦ ଓ ୧୦୦ ରନ କରିଥିଲେ। ଏହି କାରଣରୁ ସେ ୩ଟି ପାହାଚ ଉପରକୁ ଉଠି ୬ଷ୍ଠ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ୫ମ, ଡେଭିଡ୍‌ ଓ୍ବାର୍ନର ୮ମ, ଜୋ ରୁଟ୍‌ ୯ମ ଓ ରସ୍‌ ଟେଲର ୧୦ମ ସ୍ଥାନରେ ରହିଛନ୍ତି। ମୟଙ୍କ ଅଗ୍ରଓ୍ବାଲ ଓ ରୋହିତ୍‌ ଶର୍ମା ଯଥାକ୍ରମେ ଦ୍ୱାଦଶ ଓ ପଞ୍ଚଦଶ ସ୍ଥାନ ଲାଭ କରିଛନ୍ତି।
ବୋଲିଂରେ ଅଷ୍ଟ୍ରେଲିଆର ପ୍ୟାଟ୍‌ କୁମିନ୍ସ ଏକ ନମ୍ବର ସ୍ଥାନରେ ରହିଛନ୍ତି। ସେହିଭଳି ଆଘାତଜନିତ ସମସ୍ୟା ଲାଗି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଖେଳି ପାରି ନ ଥିବା ଯଶପ୍ରୀତ୍‌ ବୁମ୍‌ରା ପୂର୍ବଭଳି ୬ଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ଟେଷ୍ଟ ଅଲ୍‌ରାଉଣ୍ଡର ତାଲିକାରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍ଡରଙ୍କ ପଛକୁ ରବୀନ୍ଦ୍ର ଜାଡେଜା ୨ୟ ସ୍ଥାନରେ ରହିଛନ୍ତି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତ ୩୬୦ ପଏଣ୍ଟ ସହ ଟେବୁଲ ତାଲିକାର ସର୍ବାଗ୍ରେ ରହିଛି। ଅଷ୍ଟ୍ରେଲିଆ (୨୧୬), ପାକିସ୍ତାନ (୬୦), ଶ୍ରୀଲଙ୍କା (୮୦), ନ୍ୟୁଜିଲାଣ୍ଡ (୬୦) ଓ ଇଂଲଣ୍ଡ (୫୬) ପର୍ଯ୍ୟାୟକ୍ରମେ ପଛକୁ ପଛ ତାଲିକାରେ ସ୍ଥାନ ପାଇଛନ୍ତି।

Share