Categories: ଖେଳ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲେ କୋହଲି

ଦୁବାଇ,୩୦।୧୨(ପି.ଟି.)- ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ଫଳର ଶୀର୍ଷ ସ୍ଥାନରେ ରହି ସେ ବର୍ଷ ଶେଷ କରିବେ। ସେହିପରି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ତଳକୁ ଖସି ପଞ୍ଚମ ସ୍ଥାନରେ ରହିଛନ୍ତି। ୯୨୮ ପଏଣ୍ଟ ପାଇଁ କୋହଲି ୧ ନମ୍ବର ସ୍ଥାନରେ ରହିଥିବା ବେଳେ ୯୧୧ ପଏଣ୍ଟ ପାଇଁ ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ୮୨୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନ ଚଳିତ ବର୍ଷ ୧୧ଟି ଟେଷ୍ଟ ଖେଳି ୧, ୦୫୮ ରନ ସଂଗ୍ରହ କରିବା ସହ ଗୋଟିଏ ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ରହିଛନ୍ତି। ୭୯୧ ପଏଣ୍ଟ ପାଇ ପୂଜାରା ପଞ୍ଚମ, ୭୫୯ ପଏଣ୍ଟ ପାଇ ଅଜିଙ୍କ୍ୟ ରାହାନେ ଯୁଗ୍ମ ସପ୍ତମ ସ୍ଥାନରେ ରହିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର କ୍ୱିଣ୍ଟନ ଡିକକ୍‌ ମଧ୍ୟ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି କରିଛନ୍ତି।
ବୋଲିଂ ତାଲିକାରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ୭୯୪ ପଏଣ୍ଟ ପାଇ ଷଷ୍ଠ ସ୍ଥାନରେ ବଜାୟ ରହିଛନ୍ତି। ସେହିପରି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୭୭୨ ପଏଣ୍ଟ ପାଇ ନବମ ଓ ୭୭୧ ପଏଣ୍ଟ ପାଇ ମହମ୍ମଦ ସାମି ଦଶମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସ ୯୦୨ ପଏଣ୍ଟ ପାଇ ବୋଲିଂ ତାଲିକାର ଶୀର୍ଷରେ ରହିଛନ୍ତି। ସେହିପରି ନେଲ ଓ୍ବାଗର ୮୫୯ ଓ କାଗିସୋ ରାବାଡ଼ା ୮୩୨ ପଏଣ୍ଟ ପାଇଁ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।

Share