Categories: ଖେଳ

ଆଇସିସି ଦିନିକିଆ ର଼୍ୟାଙ୍କିଙ୍ଗ୍‌: ଶୀର୍ଷ ମାନ୍ୟତା ହରାଇଲେ ମନ୍ଧାନା

ଦୁବାଇ, ୧୫।୧୦ (ପି.ଟି.)-ଭାରତୀୟ ମହିଳା କ୍ରିକେଟ୍‌ ଦଳର ତାରକା ବ୍ୟାଟ୍ସଓମ୍ୟାନ ସ୍ମୃତି ମନ୍ଧାନା ଆଇସିସି ଦିନିିକିଆ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ମାନ୍ୟତା ହରାଇଛନ୍ତି। ଅର୍ନ୍ତଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ସଦ୍ୟ ପ୍ରକାଶିତ ବ୍ୟାଟିଂ ତାଲିକାରେ ମନ୍ଧାନାଙ୍କୁ ପଛରେ ପକାଇ ନ୍ୟୁଜିଲାଣ୍ଡର ଆମି ସାଟର୍ଥଓ୍ବେଟ୍‌ ଏକ ନମ୍ବର ସ୍ଥାନ ଦଖଲ କରିଛନ୍ତି। ଆଘାତଜନିତ ସମସ୍ୟା ଲାଗି ମନ୍ଧାନା ନିକଟରେ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଅନୁଷ୍ଠିତ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଖେଳିପାରି ନ ଥିଲେ। ଏହି ସିିରିଜକୁ ଭାରତ ୩-୦ରେ କ୍ଲିନ ସୁଇପ୍‌ କରିଥିଲା। ସିରିଜରୁ ବାଦ୍‌ ପଡ଼ିବା ଫଳରେ ମନ୍ଧାନାଙ୍କ ର଼୍ୟାଙ୍କିଙ୍ଗ୍‌ରେ ଏହାର ପ୍ରଭାବ ପଡ଼ିଛି। ୨୩ ବର୍ଷୀୟା ଏହି ବାମହାତୀ ବ୍ୟାଟ୍ସଓମ୍ୟାନ ବର୍ତ୍ତମାନ ୭୫୫ ପଏଣ୍ଟ ସହ ବ୍ୟାଟିଂ ତାଲିକାର ୨ୟ ସ୍ଥାନରେର ରହିଛନ୍ତି। ଅନ୍ୟ ଭାରତୀୟ କ୍ରିକେଟର୍‌ଙ୍କ ମଧ୍ୟରେ ଅଧିନାୟିକା ମିଥାଲି ରାଜ ୭ମ ସ୍ଥାନକୁ ଖସି ଯାଇଥିବାବେଳେ ହର୍‌ମନପ୍ରୀତ୍‌ କୌର ୧୭ତମ ସ୍ଥାନକୁ ଉଠିଛନ୍ତି। ବୋଲିଂ ତାଲିକାରେ ଝୁଲଣ ଗୋସ୍ବାମୀ, ଶିଖା ପାଣ୍ଡେ ଓ ପୁନମ ଯାଦବ ଯଥାକ୍ରମେ ୬ଷ୍ଠ, ୮ମ ଓ ୯ମ ସ୍ଥାନରେ ରହିଛନ୍ତି। ଅଲ୍‌ରାଉଣ୍ଡର ତାଲିକାରେ ଦୀପ୍ତି ଶର୍ମା ୩ୟ ସ୍ଥାନରେ ରହିଥିବାବେଳେ ଶିଖା ପାଣ୍ଡେ ଟପ୍‌-୧୦ରେ ପ୍ରବେଶ କରିଛନ୍ତି।

Share