SYDNEY, AUSTRALIA - FEBRUARY 21: Poonam Yadav of India celebrates after taking the wicket of Ellyse Perry of Australia during the ICC Women's T20 Cricket World Cup match between Australia and India at Sydney Showground Stadium on February 21, 2020 in Sydney, Australia. (Photo by Ryan Pierse/Getty Images)
ସିଡନୀ,୨୨।୨(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଆରମ୍ଭ ହୋଇଛି। ଟୁର୍ନାମେଣ୍ଟର ଉଦ୍ଘାଟନୀ ମ୍ୟାଚ୍ରେ ଶୁକ୍ରବାର ଭାରତ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ୧୭ ରନରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ରିଷ୍ଟ ସ୍ପିନର ପୁନମ ଯାଦବ ଦମ୍ଦାର ବୋଲିଂ କରି ମାତ୍ର ୧୯ ରନ ବ୍ୟୟ କରି ମୂଲ୍ୟବାନ ୪ ଉଇକେଟ ନେଇ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ସ୍ଥାନୀୟ ସିଡନୀ ଶୋଗ୍ରାଉଣ୍ଡରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଅଷ୍ଟ୍ରେଲିଆ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା ସହ ୧୯.୫ ଓଭରରେ ୧୧୫ ରନ କରି ଅଲଆଉଟ ହେବା ସହ ପରାସ୍ତ ହୋଇଛି। ଏହି ବିଜୟ ସହ ଭାରତ ୨ ପଏଣ୍ଟ ହାସଲ କରିଛି।
୧୩୩ ରନ ଆଭରେଜ ବିଜୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। ଓପନର ଆଲିସା ହିଲି ମାତ୍ର ୩୫ ବଲରୁ ୬ ଚୌକା ଓ ୧ ଛକା ସହ ୫୧ ରନ କରି ପୁନମ ଯାଦବଙ୍କ ଦ୍ୱାରା କଟ ଆଣ୍ଡ ବୋଲ୍ଡ ହୋଇଥିଲେ। ସେହିପରି ଆଶଲେ ଗାର୍ଡନର ୩୬ ବଲରୁ ୩ ଚୌକା ଓ ୧ ଛକା ସହ ୩୪ ରନ ସଂଗ୍ରହ କରି ଦ୍ରୁତ ବୋଲର ଶିଖା ପାଣ୍ଡେଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ତେବେ ଦଳର ବାକି ୯ ବ୍ୟାଟ୍ସମ୍ୟାନ ଦୁଇଅଙ୍କ ଛୁଇଁ ପାରି ନ ଥିଲେ। ବୋଲିଂରେ ଭାରତ ତରଫରୁ ପୁନମ୍ ସର୍ବାଧିକ ୪, ଶିଖା ୩ ଓ ଦୀପ୍ତି ଶର୍ମା ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଭଲ ଆରମ୍ଭ କରିଥିଲା। ଦୁଇ ଓପନର ଶେଫାଳି ବର୍ମା ଓ ଅଭିଜ୍ଞ ସ୍ମୃତି ମାନ୍ଧନା ପ୍ରଥମ ଉଇକେଟରେ ୨୫ ବଲରୁ ଦ୍ରୁତ ୪୧ ରନ ସଂଗ୍ରହ କରିଥିଲେ। ତେବେ ଏହାପରେ ମାତ୍ର ୬ ରନରେ ଭାରତ ପ୍ରଥମ ୩ ଉଇକେଟ ହରାଇଥିଲା। ମାନ୍ଧନା ୧୦ ରନକରି ଆଉଟ ହୋଇଥିଲେ। ସେହିପରି ଶେଫାଳି ୧୫ ବଲରୁ ୫ ଚୌକା ଓ ୧ ଛକା ଦ୍ରୁତ ୨୯ ରନ ସଂଗ୍ରହ କରି ଏଲିସ୍ ପେରୀଙ୍କ ବଲ୍ରେ ମିଡଅନ୍ରେ ଆନାବେଲ ସଦରଲାଣ୍ଡଙ୍କୁ କ୍ୟାଚ୍ ଦେଇ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟିକା ହରମନପ୍ରୀତ କୌର ମାତ୍ର ୨ ରନ କରି ଆଉଟ ହୋଇଥିଲେ। ଜେମିମା ରୋଡ୍ରିଗୁଏଜ ୩୩ ବଲରୁ ୨୬ ରନ ସଂଗ୍ରହ କରି ଡେଲିସା କିମିନ୍ସଙ୍କ ବଲ୍ରେ ଏଲ୍ବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ। ଦୀପ୍ତି ଶର୍ମା ୪୬ ବଲରୁ ୩ ଚୌକା ସହ ୪୯ ରନ କରି ସ୍ଥିତି ସମ୍ଭାଳିବା ସହ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ବେଦା କ୍ରିଷ୍ଣମୂର୍ତ୍ତୀ ୯ ରନକରି ଅପରାଜିତ ରହିଥିଲେ। ବୋଲିଂରେ ଅଷ୍ଟ୍ରେଲିଆ ତରଫରୁ ଜୋନାସିନ ୨, ପେରୀ ଓ କିମିନ୍ସ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଭାରତ ୨୦ ଓଭରରେ ୧୩୨/୪
(ଦୀପ୍ତି- ୪୯*, ଶେଫାଳି- ୨୯, ରୋଡ୍ରିଗୁଏଜ- ୨୬, ମାନ୍ଧନା- ୧୦, ଜୋନାସିନ- ୨/୨୪, ପେରୀ- ୧/୧୫, କିମିନ୍ସ- ୧/୨୪)।
ଅଷ୍ଟ୍ରେଲିଆ- ୧୯.୫ ଓଭରରେ ୧୧୫ ଅଲଆଉଟ
(ହିଲି- ୫୧, ଗାର୍ଡନର- ୩୪, ପୁନମ- ୪/୧୯, ପାଣ୍ଡେ- ୩/୧୪, ଗାଏକ୍ୱାଡ- ୧/୩୧)।