Categories: ଖେଳ

ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍‌ ଶୀର୍ଷରେ ଶେଫାଳି

ସିଡ୍‌ନୀ,୪ା୩(ପି.ଟି.)- ଭାରତୀୟ ମହିଳା ବ୍ୟାଟିଂ ସେନସେଶନ ଶେଫାଳି ବର୍ମା ବୁଧବାର ଆଇସିସି ମହିଳା ଟି୨୦ ଅନ୍ତର୍ଜାତୀୟ ବ୍ୟାଟ୍ସଓମେନଙ୍କ ର଼୍ୟାଙ୍କିଙ୍ଗ୍‌ ଶୀର୍ଷକୁ ଉଠିଛନ୍ତି। ଚଳିତ ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ ଯୋଗୁ ୧୬ ବର୍ଷୀୟା ଶେଫାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ନ୍ୟୁଜିଲାଣ୍ଡର ସୁଜି ବାଟେଙ୍କୁ ହଟାଇ ଶେଫାଳି ଶୀର୍ଷସ୍ଥାନ ଅଧିକାର କରିଛନ୍ତି। ବାଟେ ଗତବର୍ଷ ଅକ୍ଟୋବରଠାରୁ ଶୀର୍ଷରେ ଥିଲେ। ତାଙ୍କ ପୂର୍ବରୁ ଶୀର୍ଷ ସ୍ଥାନରେ ଥିଲେ ଓ୍ବେଷ୍ଟଇଣ୍ଡିଜ ଅଧିନାୟିକା ଷ୍ଟେଫାନି ଟେଲର। ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଶୀର୍ଷ ସ୍ଥାନ ହାତେଇବାରେ ଶେଫାଳି ଦେଶର ଦ୍ୱିତୀୟ ବ୍ୟାଟ୍ସଓମେନ। ତାଙ୍କ ପୂର୍ବରୁ ମିଥାଲି ରାଜ ଏହି ସଫଳତା ପାଇଥିଲେ। ଭାରତୀୟ ଓପନର ସ୍ମୃତି ମନ୍ଧାନା ୨ଟି ପାହାଚ ତଳକୁ ଖସି ୬ଷ୍ଠ ସ୍ଥାନରେ ରହିଛନ୍ତି। ଶେଫାଳି ଓ ଇଂଲଣ୍ଡ ସ୍ପିନର ସୋଫି ଇକଲେଷ୍ଟୋନ ଶୀର୍ଷ ର଼୍ୟାଙ୍କଧାରୀ ବ୍ୟାଟ୍ସଓମ୍ୟାନ ଓ ବୋଲର ଭାବେ ବିଶ୍ୱକପ୍‌ ସେମିଫାଇନାଲରେ ଖେଳିବେ। ଭାରତ ଗୁରୁବାର ଇଂଲଣ୍ଡକୁ ଭେଟିବ। ବର୍ମା ୪ ଇନିଂସରେ ସର୍ବାଧିକ ୧୬୧ ରନ୍‌ କରିଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୪୭ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୬ ରନ୍‌ କରିଥିଲେ। ଇକଲେଷ୍ଟୋନଙ୍କ ନେତୃତ୍ୱାଧୀନ ଟପ୍‌ ବୋଲରଙ୍କ ତାଲିକାରେ ପୁନମ ଯାଦବ ୪ ସ୍ଥାନ ଉପରକୁ ଉଠି ୮ମ ସ୍ଥାନ ହାସଲ କରିଛନ୍ତି। ଟପ ୧୦ ଅଲରାଉଣ୍ଡଙ୍କ ତାଲିକାରେ ପ୍ରଥମ ଥର ପାଇଁ ସ୍ଥାନ ପାଇଛନ୍ତି ଦୀପ୍ତି ଶର୍ମା। ସେ ୭ମ ସ୍ଥାନରେ ରହିଛନ୍ତି। ବ୍ୟାଟ୍ସଓମେନଙ୍କ ତାଲିକାରେ ତାଙ୍କ ର଼୍ୟାଙ୍କିଙ୍ଗ୍‌ ୫୩। ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ଅଷ୍ଟ୍ରେଲିଆ ସର୍ବାଧିକ ୨୯୦ ପଏଣ୍ଟ ସହ ଶୀର୍ଷରେ ରହିଛି। ଟପ୍‌ ୫ରେ ଇଂଲଣ୍ଡ (୨୭୮ ପଏଣ୍ଟ), ନ୍ୟୁଜିଲାଣ୍ଡ (୨୭୧), ଭାରତ (୨୬୬) ଓ ଦକ୍ଷିଣ ଆଫ୍ରିକା (୨୪୭) ରହିଛନ୍ତି।

Share